Jai Odisha
News

ବଲାଙ୍ଗିର ରାଜପରିବାର କଳି,ଅର୍କେଶଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ରୁଜୁ

ବଲାଙ୍ଗିର,୨୧।୫: ବଲାଙ୍ଗିର ରାଜ ପରିବାରରେ ଆସିଥିବା ପାରିବାରିକ ହିଂସାରେ ମାମଲା ରୁଜୁ। ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ବୋହୂ ଅଦ୍ରିଜା ସିଂଙ୍କ ଅଭିଯୋଗ ପଞ୍ଜୀକରଣ ହୋଇଛି। ସ୍ୱାମୀ ଅର୍କେଶଙ୍କ ସମେତ ଶ୍ୱଶୁର ଅନଙ୍ଗ ଉଦୟ ସିଂଦେଓ, ଶାଶୁ ବିଜୟଲକ୍ଷ୍ମୀ ଦେବୀ, ଦେଢ଼ଶୁର କଳିକେଶ ସିଂଦେଓ ଓ ବଡ଼ ଯାଆ ମେଘନାଙ୍କ ବିରୋଧରେ ଅଦ୍ରିଜା ଯୌତୁକ ଓ ନିର୍ଯାତନା ଅଭିଯୋଗ ଆଣିଥିଲେ।ଅର୍କେଶ ସିଂହଦେଓଙ୍କ ସହ ୫ ଜଣଙ୍କ ନାଁରେ ମାମଲା ରୁଜୁ କଲା ଉତ୍ତରାଖଣ୍ଡର ଡେରାଡୁନ ପୋଲିସ ।  ଅଦ୍ରିଜାଙ୍କ ଅଭିଯୋଗ ଅନୁସାରେ ଶାଶୁଘର ଲୋକେ ତାଙ୍କୁ ନିର୍ଯାତନା ଦେଉଥିଲେ। ବିଭିନ୍ନ ସମୟରେ ଯାଆ, ଦେଢଶୂର ମଧ୍ୟ ହଇରାଣ କରୁଥିଲେ । ଅଦ୍ରିଜାଙ୍କ ଅଭିଯୋଗ ଅନୁସାରେ, ଶ୍ୱଶୁର ଅନଙ୍ଗ ଉଦୟ ସିଂ ଦେଓ, ବିଜୟ ଲକ୍ଷ୍ମୀ ଦେବୀ, ମେଘନା ରାଣା ଗତ ୫ ବର୍ଷ ଧରି ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲେ।  ତାଙ୍କୁ ଗାଳିଗୁଲଜ କରାଯିବା ସହ ଧମକଚମକ ଦିଆଯାଉଥିଲା। ମ୍ୟାନେଜରଙ୍କ ମାଧ୍ୟମରେ ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା। ତାଙ୍କ ମା’ଙ୍କ ଦେହ ଖରାପ ହୋଇଥିବାରୁ ସେ ଡେରାଡୁନ ଆସିଥିଲେ । ଏହି ସମୟରେ ଅର୍କେଶ ତାଙ୍କୁ ଛାଡ଼ପତ୍ର ନୋଟିସ୍ ପଠାଇଥିଲେ ବୋଲି   ଅଭିଯୋଗ କରିଛନ୍ତି ଅଦ୍ରୀଜା । ଶାଶୁଘର ଲୋକେ କ୍ୟାମେରା ଲଗାଇ ତାଙ୍କ ଉପରେ ନଜର ରଖୁଥିଲେ ବୋଲି ଅଭିଯୋଗ କରିଥିଲେ । ୨୦୧୭ ମସିହା ନଭେମ୍ବର ମାସରେ ଆଦ୍ରିଜାଙ୍କୁ ବିବାହ କରିଥିଲେ ଅର୍କେଶ । ଅଦ୍ରିଜା ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ବନାଥ ପ୍ରତାପ ସିଂହଙ୍କ ନାତୁଣୀ । ୨୦୧୯ ନିର୍ବାଚନରେ ଅର୍କେଶ ବଲାଙ୍ଗିର ବିଧାନସଭା ଆସନ ପାଇଁ ଟିକେଟ୍ ପାଇବା ପରେ ଆଦ୍ରିଜା ତାଙ୍କ ପ୍ରଚାର ମଙ୍ଗ ଧରିଥିଲେ ।ଅନ୍ୟପକ୍ଷରେ ଅଦ୍ରିଜାଙ୍କ ସ୍ୱାମୀ ଅର୍କେଶ ସିଂହଦେଓ ପ୍ରତିକ୍ରିୟା କହିଥିଲେ, ଆଠମାସ ତଳେ ହେଲା ଅଦ୍ରିଜା ମୋ ନାଁରେ ଘରୋଇ ହିଂସା ମାମଲା କରିଥିଲେ। କେସ୍ ଫାଇଲ ପରେ ମୁଁ ଡେରାଡୁନରେ ଥିବା ଘର ଛାଡ଼ି ଦେଲି। ସେ ଘରେ ତାଙ୍କ ଭଉଣୀ ରହୁଛନ୍ତି। ତାଙ୍କ ବାପା ଆସି ସେ ଘରେ ମାସକରେ ୧୫ରୁ ୨୦ ଦିନ ରହୁଛନ୍ତି। ଅଦ୍ରିଜାଙ୍କ ସୁରକ୍ଷା ପାଇଁ ମୁଁ ସିସିଟିଭି ଲଗାଇଥିଲି। ହେଲେ ସେ ସିସିଟିଭି ତାର କାଟି ଦେଇଥିଲେ। ତାର ଭିଡିଓ ମୁଁ ପୁଲିସକୁ ଦେଇଛି। ସେ ଘରକୁ ମୁଁ ବହୁତ କମ୍ ଯାଏ। ଅଦ୍ରିଜାଙ୍କ ବାପାଙ୍କର ଜମି ମାଫିଆଙ୍କ ସହ ସମ୍ପର୍କ ରହିଛି । କିଛି ଦିନ ତଳେ ଅଦ୍ରିଜାଙ୍କ ବାପା କିଛି ଡିମାଣ୍ଡ କରିଥିଲେ, ଯାହା ମୋ କ୍ଷମତା ଠାରୁ ବହୁତ ଅଧିକ ବୋଲି ଅର୍କେଶ ସିଂଦେଓ କହିଥିଲେ।

Leave A Reply

Your email address will not be published.