Jai Odisha
News

ବାହାନଗା ହାଇସ୍କୁଲ ୫-ଟିରେ ସାମିଲ, ଆଦର୍ଶ ବିଦ୍ୟାଳୟରେ ରୂପାନ୍ତରଣ କରିବେ ସରକାର

ଭୁବନେଶ୍ୱର :ଗତ ୨ ତାରିଖରେ ବାହନଗା ରେଳ ଷ୍ଟେସନ ଠାରେ ସଂଗଠିତ ଭୟାବହ ରେଳ ଦୂର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମରଶରୀରକୁ ସାମୟିକ ଭାବରେ ବାହନଗା ହାଇସ୍କୁଲରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଶବଗୁଡ଼ିକୁ ଅନ୍ୟତ୍ର ନିଆଯାଇ ସ୍କୁଲ ବିଶୋଧନ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ, ଜନସାଧାରଣଙ୍କ ମଧ୍ୟରେ ଭୟ ରହିଛି। ତେଣୁ ସ୍କୁଲ ଭାଙ୍ଗି ଏହାର ପୁନଃନିର୍ମାଣ ସମ୍ପର୍କରେ ବିଭିନ୍ନ ମହଲରେ ଦାବି ହୋଇଥିଲା ।ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ  ଭି.କେ. ପାଣ୍ଡିଆନ, ସ୍କୁଲ ଗଣଶିକ୍ଷା ସଚିବ ଏସ୍. ଅଶ୍ୱସ୍ତି ଭିଡିଓ କନ୍‌ ଫରେନ୍ସିଂ ଯୋଗେ ବାଲେଶ୍ୱର ଜିଲ୍ଲାପାଳ, ସ୍କୁଲ ପରିଚାଳନା କମିଟିର ସଦସ୍ୟବୃନ୍ଦ, ପଞ୍ଚାୟତ ପ୍ରତିନିଧି, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ସମସ୍ତଙ୍କର ମତାମତ ନେଇଥିଲେ। ଯେହେତୁ ଛାତ୍ରଛାତ୍ରୀ ଅଭିବାବକ ଓ ଶକ୍ଷକ ଶିକ୍ଷୟତ୍ରୀ ମଧ୍ୟରେ ସେ ଦିନର ଭୟଙ୍କର ଦୃଶ୍ୟ ଏବେବି ସେମାନଙ୍କ ମନରେ ଭୟ ସୃଷ୍ଟି କରିଛି ଏବଂ ସେମାନେ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେଣୁ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ବାହନଗା ହାଇସ୍କୁଲ ଓ ଏହାର ପରିସରରେ ଥିବା ପ୍ରାଥମିକ ଓ ଏଲିମଣ୍ଟୋରି ସ୍କୁଲକୁ ଭାଙ୍ଗି ତା’ର ପୁନଃନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଚଳିତ ମାସ ୨ ତାରିଖରେ ବାଲେଶ୍ୱର ବାହାନଗାରେ ହୋଇଥିବା ଭୟାବହ ରେଳ ଦୁର୍ଘଟଣାର ପରବର୍ତ୍ତି ସମୟରେ ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ଉଦ୍ଧାର ଓ ସେବା କାର୍ଯ୍ୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଏଭଳି ମହତ କାର୍ଯ୍ୟରେ ସେମାନଙ୍କ ଯୋଗଦାନକୁ ଉତ୍ସାହିତ କରିବା ପାଇଁ ଅଞ୍ଚଳର ପ୍ରମୁଖ ଶିକ୍ଷାନୁଷ୍ଠାନ ବାହାନଗା ହାଇସ୍କୁଲକୁ ୫-ଟି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ୫-ଟି ଉପକ୍ରମରେ ବାଲେଶ୍ୱର ଜିଲ୍ଲା ବାହାନଗା ହାଇସ୍କୁଲର ରୂପାନ୍ତରଣ କରାଯିବ। ବାହାନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରୀ ସ୍କୁଲର ନବୀକରଣ କରାଯାଇ ଏହାକୁ ଏକ ଆଦର୍ଶ ସ୍କୁଲ ଭାବେ ଗଢିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.