Jai Odisha
News

ବିପଦ ସଙ୍କେତ ଉପରେ ବୈତରଣୀ,ବଢ଼ୁଛି ଜଳକା, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀ

ଭୁବନେଶ୍ୱର, ୨୧/ ୦୮ : ପ୍ରବଳ ବର୍ଷା ହୋଇଥିବାରୁ ବୈତରଣୀ ଶନିବାର ଅପରାହ୍‌ଣରୁ ହଠାତ ଫୁଲି ଉଠିଛି। କେନ୍ଦୁଝରର ଆନନ୍ଦପୁରଠାରେ ଜଳସ୍ତର ଦ୍ରୁତ ଗତିରେ ବଢ଼ୁଛି। ଲଘୁଚାପ ଜନିତ ବର୍ଷାରେ   ଜଳକା, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ମଥାନୀରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନୀରେ ବିପଦ ସଙ୍କେତ ୫.୫୦ ମି. ହୋଇଥିବା ବେଳେ ଜଳସ୍ତର ୬.୯୦ ମି. ରହିଛି ।ସେହିପରି ବୁଢ଼ାବଳଙ୍ଗର ବିପଦ ସଙ୍କେତ ୮.୧୩ ମି. ଥିବାବେଳେ ଜଳସ୍ତର ୭.୪୨ ମି. ରହିଛି । ସୁବର୍ଣ୍ଣରେଖା ବିପଦ ସଙ୍କେତ ୧୦.୩୬ ମି. ହୋଇଥିବା ବେଳେ ଜଳସ୍ତର ୭.୯୮ ମି. ରହିଛି ।
ଅନ୍ୟପଟେ କୂଳ ଲଙ୍ଘୁଛି ବୈତରଣୀ । ବିପଦ ସଙ୍କେତ ଉପରେ ବୈତରଣୀ ପ୍ରବାହିତ ହେଉଛି । ଆନନ୍ଦପୁରରେ ବିପଦ ସଙ୍କେତ ୩୮.୩୬ ମି. ଥିବାବେଳେ ଜଳସ୍ତର ୩୯.୦୮ ମି. ରହିଛି । ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ମି. ରହିଥିବା ବେଳେ ଜଳସ୍ତର ୧୮.୮୩ ମି. ରହିଛି । ହାଟଡିହି ବ୍ଲକର ଅୟତପୁର, ନୂଆଗାଁ, ରଘୁନାଥପୁରରେ ପଶିଛି ପାଣି । ଭଦ୍ରକ ଜିଲ୍ଲାର ୪ଟି ବ୍ଲକର ୧୪ ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି ।ସେହିପରି ଯାଜପୁର ବ୍ରହ୍ମଚାରୀପାଟଣା ନିକଟ ନଦୀବନ୍ଧ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ନଦୀବନ୍ଧ ଉପର ଦେଇ କାଣୀନଦୀର ବନ୍ୟାଜଳ ପ୍ରବାହିତ ହେଉଛି । ପ୍ରଥମ ବନ୍ୟାରେ ବ୍ରହ୍ମଚାରୀପାଟଣା ନଦୀବନ୍ଧରେ ଘାଇ ହୋଇଥିଲା । ୪ ଦିନ ତଳେ ମରାମରି ହୋଇଥିବା ବେଳେ ଏବେ ବନ୍ୟାପାଣିରେ ବୁଡ଼ିଯାଇଛି । ବ୍ରହ୍ମଚାରୀପାଟଣା, ଅହିୟାସ, କସପା, ମଲ୍ଲିକାପୁରବାସୀ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।ସୂଚନା ଅନୁଯାୟୀ ବୈତରଣୀ ନଦୀ ଅର୍ଦ୍ଦାଉଳିଆଠାରେ ୨ଟି ଘଳିଆ ପଡ଼ିଥିବାରୁ ଅସ୍ଥାୟୀ ଭାବେ ପାଣିକୁ ରୋକାଯାଇଥିଲା। ତାହା ମରାମତି ହୋଇନାହିଁ। ସେହିଭଳି ବୈତରଣୀର କାଣୀ ନଦୀ ଉତ୍ପତ୍ତିସ୍ଥଳ ବ୍ରହ୍ମଚାରୀପାଟଣାଠାରେ ଆର୍‌ଡି ପୋଲର ଗାର୍ଡ ୱାଲ ଧସିଯାଇଥିବାରୁ ସେଠାରେ ନଦୀବନ୍ଧ ଦୁର୍ବଳ ରହିଛି। କୟାଁ ପଞ୍ଚାୟତ ବଳରାମପୁରଠାରେ ମଧ୍ୟ ବନ୍ଧପଠା ଧସିଯାଇଛି। କାଣୀ ନଦୀର ବ୍ରହ୍ମଚାରୀପାଟଣା, ମଲ୍ଲିକାପୁର, କଣ୍ଟପଡ଼ା, ନୂଆଶାସନ, ମଲ୍ଲିକାପୁର ଆଦି ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଛି। ଅନେକ ସ୍ଥାନରେ ନଦୀବନ୍ଧରେ ଘଳିଆ ପଡ଼ିବା, ଲଗାଣ ବର୍ଷାରେ ଧୋଇ ହୋଇଯିବା, ନୂତନ ବନ୍ଧ ଫାଟିଯିବା ଭଳି ସମସ୍ୟା ରହିଛି। ଏହାଛଡ଼ା ଚୋରାବାଲି ଚାଲାଣ ସମୟରେ ବନ୍ଧକୁ ହଣାଯାଇ ବାଟ ଖୋଲାଯାଇଛି। ବୈତରଣୀ ବଢ଼ୁଥିବାରୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକବାସୀଙ୍କ ଚିନ୍ତା ବଢ଼ିଯାଇଛି। ୬ ଦିନ ତଳେ କଷପା ପଞ୍ଚାୟତ ବ୍ରହ୍ମଚାରୀପାଟଣାରେ ବୈତରଣୀ ଶାଖା କାଣୀନଦୀରେ ୧୫୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ୧୫ରୁ ଅଧିକ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଥିଲେ। ଏବେ ପୁଣି ଏକ ସମ୍ଭାବ୍ୟ ବନ୍ୟାକୁ ନେଇ ସେମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Leave A Reply

Your email address will not be published.