Jai Odisha
News

ବିରୋଧୀଙ୍କ ନିଷ୍କ୍ରିୟତା ଏକଚାଟିଆ ଶାସନ ପାଇଁ ହେଉଛି ଦାୟୀ

ଆସନ ମୋହରେ ସରକାରଙ୍କୁ ଘେରିବାକୁ ସାହସ କରୁ ନାହାନ୍ତି ବିରୋଧୀ ନେତା

ନୂଆଦିଲ୍ଲୀ ୦୯/୦୯: ବିରୋଧୀ ଦଳକୁ ଛାୟା ସରକାର ବୋଲି କୁହାଯାଏ। କାରଣ ଯଦି ଶାସନାଧୀନ ସରକାର କୌଣସି କାରଣରୁ ଭାଙ୍ଗେ ତେବେ ବିରୋଧୀ ଦଳ ବହୁମତ ନେଇ ସରକାର ଗଢିବା ପାଇଁ ସୁଯୋଗ ପାଇଥାଏ। କେବଳ ସେତିକି ନୁହେଁ ବିରୋଧୀ ଦଳ ପାଇଁ ସରକାରଙ୍କ ମନରେ ଆସନ ହରେଇବାର ଭୟ ରହିଥାଏ। ଯେଉଁ କାରଣରୁ ସରକାରୀ ଦଳ ଜନତାଙ୍କ କଥା ଶୁଣିବାକୁ ଏକ ପ୍ରକାର ବାଧ୍ୟ ହୋଇଥାଏ। ବିରୋଧୀ ଦଳ ସାଧାରଣଲୋକଙ୍କ ମୁଦା ସଂସଦ ହେଉ କି ସଚିବାଳୟ ସବୁଠି ଉଠେଇ ସରକାରଙ୍କୁ ଘେରିଥାଏ। ବେଳେବେଳେ କେତେକ ସାମ୍ପ୍ରତିକ ଘଟଣାର ମୁଦା ସହାୟତାରେ ବିରୋଧୀ ଦଳ ସରକାରୀ ବଦଳେଇବାର ନଜିର ଅତୀତରେ ରହିଛି। କିନ୍ତୁ ସରକାର ବଦଳେଇବାତ ଦୂରର କଥା ଏବେ ଗୋଟେ ବିଲ ଅଟକାଇବାର ସାହସ ଦେଖିବାକୁ ମିଳିନି ବିରୋଧୀ ରାଜନୈତିକ ଦଳ ପାଖରେ।ସରକାରୀ ଦଳ ଅପେକ୍ଷା ବିରୋଧୀଙ୍କ ପାଖରେ ଲୋକଙ୍କ ସମସ୍ୟାର ଲମ୍ବା ତାଲିକା ରହିଥାଏ। ଯାହାକୁ ନେଇ ସେମାନେ ସରକାରଙ୍କୁ ଘେରି ପାରିବେ। ହେଲେ ରାଜ୍ୟରେ ବିରୋଧୀ ଦଳ ଥାଇ ନଥିଲା ସଦୃଶ ହୋଇଛି ଏବେ। ବିରୋଧୀ ଦଳର ନିଷ୍କ୍ରିୟତା ଏକଚାଟିଆ ଶାସନ ପାଇଁ ମଧ୍ୟ ଦାୟୀ।
ଦୁଇଟି ମୁଖ୍ୟ ବିରୋଧୀ ଦଳ ରାଜ୍ୟରେ ରହିଥିଲେ ମଧ୍ୟ କୌଣସି ଆଖିଦୃଶିଆ ମୁଦା ଉଠୁନାହିଁ ବିଧାନସଭାରେ। ମୁଖ୍ୟ ବିରୋଧୀ ଦଳର ନେତାମାନେ ଉପରେ ଉପରେ ସରକାର ବିରୋଧରେ ପଦେ ଅଧେ କହୁଥିଲେ ହେଁ ଭିତରେ ଭାରି ସଲାସୁତରା। ଏହା ପଛରେ କାରଣ ମାତ୍ର ଏତିକି ଯେ ତୁମେ ରାଜ୍ୟରେ ଚୁପ୍ ରହିଲେ ଆମେ କେନ୍ଦ୍ରରେ ସମର୍ଥନ ଦେବୁ। ରାଷ୍ଟ୍ରପତି ନିର୍ବାଚନ କଥା କୁହନ୍ତୁ ବା କୌଣସି ବିଲ ପାରିତ ସମୟରେ ରାଜ୍ୟ ସରକାର ଦେଉଥିବା ସମର୍ଥନରୁ ଏହା ସ୍ପଷ୍ଟଭାବେ ବାରି ହୋଇ ପଡ଼ୁଛି।୨୦୧୯ ପରଠାରୁ ଯଦି ଦେଖାଯାଏ ତେବେ ଓଡ଼ିଶାରେ ବିରୋଧୀ ପକ୍ଷକୁ ଦୁର୍ବଳ କରିଦେବା ପାଇଁ ସରକାରୀ ଦଳ କେନ୍ଦ୍ରୀୟ ସରକାରଙ୍କ ପ୍ରତି ସବୁ ଘଟଣାରେ ସମର୍ଥନ ଏପରି ପ୍ରଦାନ କରୁଛନ୍ତି ଯେ, ଯେଉଁଥି ପାଇଁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ସରକାରଙ୍କ ବିରୋଧରେ କ୍ରମାଗତ ଆନ୍ଦୋଳନ ପାଇଁ ଯଥେଷ୍ଟ ପୃଷ୍ଠଭୂମି ଯୋଗାଡ଼ କରିପାରୁ ନାହିଁ। ଫଳରେ ଏକ ପ୍ରମୁଖ ବିରୋଧୀ ଦଳ ଭାବରେ ବିଜେପି ରାଜ୍ୟରେ ଯେପରି ଶକ୍ତିଶାଳୀ ହେବାକଥା ତାହା ହୋଇପାରିନାହିଁ।
ଅନ୍ୟ ମୁଖ୍ୟ ବିରୋଧୀ ଦଳ ତଥା ଦେଶର ସର୍ବପୁରାତନ ଦଳ ଭାବେ ପରିଚିତ କଂଗ୍ରେସ କଥା କଣ କହିବା। ରାଜ୍ୟ କଣ କେନ୍ଦ୍ରରୁ ବି ଆଉ କିଛି ବର୍ଷ ପରେ ହଜିଯିବ ଏହି ଦଳ ଲାଗୁଛି। ରାଜ୍ୟ କଂଗ୍ରେସ କର୍ମୀ ପିସିସି ସଭାପତି ହେବାକୁ କସରତ କରନ୍ତି। ପିସିସି ସଭାପତି ପଦ କଂଗ୍ରେସ ପାଇଁ ମୁଖ୍ୟମନ୍ତ୍ରୀ ଆସନ ପରି ଅନୁଭବ ହୁଏ। କେବଳ ସେତିକି ନୁହେଁ ନିଜ ଆସନ ଆଉ ସ୍ଥିତି ସମ୍ଭାଳିବା ପାଇଁ ସରକାରୀ ଦଳକୁ ଢଳି ଅନେକ ବିରୋଧୀ ନେତା ନିଜର କୂଟନୀତି ମଧ୍ୟ ବେଶ ଦେଖାଇଛନ୍ତି। ଏହି ଧରା ଏବେ ବି ଚାଲିଛି। ଏବେ ବିରୋଧୀ ଦଳ ନେତାଙ୍କ ପାଇଁ ଦଳ କି ଜନତା ନୁହେଁ, ନିଜ ସତା ଆଉ ଆସନ ଆଗ ହୋଇଛି। ଯେଉଁଥି ପାଇଁ ବିରୋଧୀ ନେତାଙ୍କର ସରକାରୀ ଦଳ ପ୍ରତି ରହୁଛି ଉଦାସୀନତା। ମୁଖ୍ୟ ବିରୋଧୀ ଆସନରେ ଥିବା କଂଗ୍ରେସ ଦଳ ୨୦୦୯ ପରଠାରୁ ତୀବ୍ର ଗତିରେ ତାହାର ଶକ୍ତି ହରାଇବାରେ ଲାଗିଛି ରାଜ୍ୟରେ। ଏହାର ଏକ ମୁଖ୍ୟ କାରଣ ଅଧିକାଂଶ କଂଗ୍ରେସ ନେତାମାନଙ୍କର ମୁଖ୍ୟ ଲକ୍ଷ୍ୟ କିପରି ସରକାରୀ ଦଳ ସହିତ ବୁଝାମଣା କରି ନିଜର ଆସନକୁ ବଜାୟ ରଖିବେ। କେତେ କଂଗ୍ରେସ ନେତାଙ୍କୁ ସରକାରୀ ଦଳକୁ ଆଣିବା ଏକ ନିର୍ବାଚନ କୌଶଳ ଭାବରେ ବିଚାର କରାଯାଉଛି।
ବିକାଶମୂଳକ କାର୍ଯ୍ୟରେ ଲୋକେ ନିଷ୍ପେଷିତ ଓ ନିର୍ଯାତିତ ହେଉଛନ୍ତି ତାହାର ବହୁ ଉଦାହରଣ ରହିଥିଲେ ମଧ୍ୟ ବିରୋଧୀ ରାଜନୈତିକ ଦଳମାନେ ସେ ପ୍ରସଙ୍ଗରେ ଲୋକମାନଙ୍କୁ ସଂଗଠିତ କରିପାରୁନାହାନ୍ତି। ପିସି କାରବାର ଖୋଲାଖୋଲି ଚାଲିଥିଲେ ମଧ୍ୟ ବିରୋଧୀ ଚୁପ୍ ରହୁଛନ୍ତି। ଠିକାଦାରମାନେ ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ମୂଲ୍ୟଠାରୁ ୧୫ ରୁ୨୦ ପ୍ରତିଶତ କମରେ କାମ ହାତକୁ ନେଉଛନ୍ତି କେବଳ ପିସି ଭରସାରେ। ଏହା ସ୍ପଷ୍ଟ ଜାଣି ବି ବିରୋଧୀ ନୀରବ। ଅପରାଧ ସହ ଦୁଷ୍କର୍ମ ଘଟଣା ବଢିଥିଲେ ମଧ୍ୟ ବିରୋଧୀ ଦଳଗୁଡିକ ଚୁପ୍ ରହିବାରୁ ସାଉଁଟି ପାରୁ ନାହାନ୍ତି ଲୋକଙ୍କ ସମର୍ଥନ। ଓଡ଼ିଶାରେ ବିରୋଧୀ ନେତୃତ୍ୱ ଶୂନ୍ୟତା ହୋଇଥିବାର ସହଜରେ ରାଜ୍ୟସ୍ତରରେ ଓ ଜିଲ୍ଳାସ୍ତରରେ ସ୍ପଷ୍ଟ ଅନୁଭବ ହେଉଛି। କେବଳ ସରକାରଙ୍କୁ ନୁହେଁ ନିଜ ସ୍ଥିତି ସମ୍ଭାଳିବା ଦରକାର୍ ବିରୋଧୀ।
ବିରୋଧୀ ପକ୍ଷ ରାଜନୀତି କରିବା ପାଇଁ ଯେଉଁ ଧରଣର ମାନସିକତା, ନେତୃତ୍ୱ ଓ ସାଂଗଠନିକ ଶକ୍ତିର ଆବଶ୍ୟକତା ଅଛି ସେହି ଧାରା ଲୋପ ପାଉଥିବାରୁ ଯେଉଁ ରାଜ୍ୟମାନଙ୍କରେ କୌଣସି ଏକ ଦଳ ବା ଆଂଚଳିକ ଦଳ ଯଦି କ୍ରମାଗତ କ୍ଷମତା ଦଖଲ କରୁଛି ତେବେ ତାହା ବିରୋଧରେ ମଧ୍ୟ ବିରୋଧୀ ସଂଗଠନ ମଜଭୁତ କରିବା କଷ୍ଟକର ହୋଇପଡ଼ୁଛି। ସରକାରଙ୍କ ଦୋଷ ଦୁର୍ବଳତା ଓ ନୀତିହୀନତା କାର୍ଯ୍ୟକଳାପ ବିରୋଧରେ ଲୋକମାନଙ୍କୁ ସଂଗଠିତ କରିବା ଅପେକ୍ଷା ବିରୋଧୀ ପକ୍ଷର ଅଧିକାଂଶ ନେତା ସରକାରୀ ଦଳ ବା ନେତାଙ୍କ ସହିତ କିପରି ସାଲିସ କରିବେ ସେଥିପାଇଁ ପ୍ରତିଯୋଗିତା କରୁଛନ୍ତି। ବିରୋଧୀ ଦଳ ଦୃଢ଼ ହେଲେ ସରକାର ସଜାଗ ହେବେ ଆଉ ସରକାର ବଦଳିଲେ ବିକାଶ ଅଧିକ ତ୍ବରାନ୍ବିତ ହେବ ଏହା ଅତୀତର ଅନେକ ଘଟଣାରୁ ଦେଖିବାକୁ ମିଳିଛି।

Leave A Reply

Your email address will not be published.