Jai Odisha
News

ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ,ଫେବୃଆରୀ ୧ ତାରିଖରୁ ଖୋଲିବ ଶ୍ରୀମନ୍ଦିର

ପୁରୀ,୨୯।୧:ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ,ଫେବୃଆରୀ ୧ ତାରିଖରୁ ଖୋଲିବ ଶ୍ରୀମନ୍ଦିର   । ଭକ୍ତମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ  କରିବେ । କିନ୍ତୁ ପୂର୍ବ କଟକଣା ବଳବତ୍ତର ରହିବ। କୋଭିଡ୍‌ କଟକଣା ଭିତରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବେ। ବିଶୋଧନ ଓ ଭିଡ଼ ଏଡ଼ାଇବା ପାଇଁ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ପର୍ବପର୍ବାଣୀରେ କିନ୍ତୁ ଶ୍ରୀମନ୍ଦିର ଖୋଲା ରହିବ। ରାତ୍ରକାଳୀନ କର୍ଫ୍ୟୁ ଯୋଗୁ ଭକ୍ତମାନେ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।  ଶୁକ୍ରବାର ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ବୈଠକ ପରେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିରର ସବୁ ସେବାୟତ ଓ ଜିଲ୍ଲାପ୍ରଶାସନର ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକରେ ଶ୍ରୀମନ୍ଦିର ଖୋଲିବା ଉପରେ ଆଲୋଚନା ହୋଇଥିଲା । ସମସ୍ତେ ମନ୍ଦିର ଖୋଲିବା ଉପରେ ଗୁରୁତ୍ୱ ଦେଇଥିଲେ । ବୈଠକ ପରେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ଫେବୃଆରୀ ୧ ତାରିଖରୁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ।  ପ୍ରତି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର । ସେହି ଦିନ ମନ୍ଦିର ସାନିଟାଇଜ୍‌ କରାଯିବ । ମନ୍ଦିର ଖୋଲିବା ଓ ବନ୍ଦ ନେଇ ଏସ୍‌ଓପି ଆସିବ । ଭକ୍ତମାନେ ପୂର୍ବଭଳି ୯୬ ଘଣ୍ଟା ଭିତରର ଆର୍‌ଟିପିସିଆର୍‌ ରିପୋର୍ଟ କିମ୍ବା କୋଭିଡ୍‌ର ଦୁଇଟି ଡୋଜ୍‌ ଟିକା ପ୍ରମାଣପତ୍ର ଦେଖାଇ ଓ କୋଭିଡ୍‌ ନିୟମ ଅନୁପାଳନ ପୂର୍ବକ ମହାପ୍ରଭୁଙ୍କ ଦର୍ଶନ କରିବେ। ଫେବ୍ରୁଆରି ମାସରେ ୬, ୧୩, ୨୦ ଓ ୨୭ ତାରିଖ, ଏଭଳି ୪ଟି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ସହରବାସୀ ପ୍ରମାଣପତ୍ର ଦେଖାଇ ପଶ୍ଚିମଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇପାରିବେ। କିନ୍ତୁ ଅନ୍ୟ ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରିବେ। ସମସ୍ତ ଭକ୍ତ ଦର୍ଶନ ସାରି ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିବେ। ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କୁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ସାମାଜିକ ଦୂରତା ରକ୍ଷା ସହ ହାତ ସାନିଟାଇଜ୍‌ କରିବାକୁ କୁହାଯାଇଛି। ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ସହ ଶ୍ରୀମନ୍ଦିର ଭିତରେ ଦେବଦେବୀଙ୍କ ପ୍ରତିମୂର୍ତ୍ତି ସ୍ପର୍ଶରେ ବି କଟକଣା ଜାରି କରାଯାଇଛି। ଭକ୍ତମାନେ ପୂର୍ବଭଳି ଆନନ୍ଦବଜାରରେ ବସି ମହାପ୍ରସାଦ ଖାଇପାରିବେ। ଶ୍ରୀମନ୍ଦିର ଭିତରେ ପାନ, ଗୁଟ୍‌ଖା ସେବନରେ ବି କଟକଣା ଜାରି ହୋଇଛି। ଅମାନିଆଙ୍କୁ ୫ଶହ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ପଲିଥିନ୍‌ ବ୍ୟବହାର ବି ନିଷେଧ କରାଯାଇଛି। ଯଦି କେହି ପଲିଥିନ୍‌ ନେଇ ଧରା ପଡ଼ନ୍ତି, ଶହେ ଟଙ୍କା ଜରିମାନା କରାଯିବ। ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି।

 

Leave A Reply

Your email address will not be published.