Jai Odisha
News

ମନ୍ତ୍ରୀ ନବ ଦାସ ମୃତ୍ୟୁ ମାମଲା: ଡାଏରୀ ଖୋଲିବ ମୃତ୍ୟୁ ରହସ୍ୟ

ଭୁବନେଶ୍ୱର,୪ା୨: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଡାଏରୀ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ୍‌ ଗୋପାଳର ସରକାରୀ କ୍ୱାର୍ଟର୍ସ ଯାଞ୍ଚ କରିଥିଲା। ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ ହତ୍ୟା ଷଡ଼ଯନ୍ତ୍ରର ରହସ୍ୟ ଖୋଲିପାରେ ବହିଷ୍କୃତ ଏଏସଆଇ ଗୋପାଳ କୃଷ୍ଣଙ୍କ ଡାଏରୀ । କ୍ରାଇମବ୍ରାଞ୍ଚ ତଦନ୍ତର ୩ୟ ଦିନରେ ଶୁକ୍ରବାର ଅଭିଯୁକ୍ତ ପୋଲିସ ଏଏସ୍ଆଇ ଗୋପାଳ ଦାସ ରହୁଥିବା କ୍ୱାର୍ଟରରୁ ଡାଏରି ପାଇଛି । ତଦନ୍ତର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । କ୍ରାଇମବ୍ରାଞ୍ଚ କହିଛି ଯେ, ଗୋପାଳଙ୍କ ବନ୍ଦ ଥିବା ସରକାରୀ କ୍ୱାର୍ଟର୍ସ ଯାଞ୍ଚ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜାତ ସହ ଏକ ଡାଏରୀ ମିଳିଛି । ଏହାକୁ କ୍ରାଇମବ୍ରାଞ୍ଚ ଅଫିସର ଯାଞ୍ଚ କରୁଛନ୍ତି । ଅନ୍ୟପଟେ ଗୋପାଳ ମନରେ କ’ଣ ଭାବି ମନ୍ତ୍ରୀଙ୍କୁ ହତ୍ୟା କଲା, ତାହା ପ୍ରଭୁ ଜଗନ୍ନାଥଙ୍କୁ ଜଣା ବୋଲି ଡିଜିପି ସୁନୀଲ ବଂଶଲ କହିଛନ୍ତି । କ୍ରାଇମବ୍ରାଞ୍ଚ କହିଛି ଯେ, ଗୋପାଳର ବନ୍ଦ ଥିବା ସରକାରୀ କ୍ୱାର୍ଟରକୁ ଯାଞ୍ଚ କରାଯାଇଥିଲା । ଏହି ସମୟରେ ମାଜିଷ୍ଟ୍ରେଟ୍ ଉପସ୍ଥିତ ଥିଲେ । କ୍ୱାର୍ଟର ଯାଞ୍ଚ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜାତ ମିଳିଥିଲା । କିଛି ହାତଲେଖା କାଗଜ ଓ ପ୍ରିଣ୍ଟ ଡକ୍ୟୁମେଣ୍ଟ ମଧ୍ୟ ମିଳିଥିଲା । ଏଥି ସହିତ ଗୋପାଳର ଡାଏରି ମଧ୍ୟ ମିଳିଥିଲା । କ୍ରାଇମବ୍ରାଞ୍ଚ ଗୋପାଳର ଡାଏରିକୁ ଯାଞ୍ଚ କରିଛି । ସେହିପରି ପାଇଖାନା ଟାଙ୍କିରୁ ମିଳିଥିବା ୨୨ ଖଣ୍ଡ ଟୁକୁଡା କାଗଜକୁ ଗୋପାଳ ଚିହ୍ନଟ କରିଛି । ହାତଲେଖା ତାର ବୋଲି ମଧ୍ୟ କହିଛି । ଟୁକୁଡା କାଗଜକୁ ଯୋଡ଼ି ରହସ୍ୟ କାଢ଼ିବାକୁ ହ୍ୟାଣ୍ଡରାଇଟିଂ ବିଶେଷଜ୍ଞ ଉଦ୍ୟମ କରିଛନ୍ତି । ଗୋପାଳର ହାତଲେଖା କି ନୁହେଁ, ସ୍ପଷ୍ଟ ହେବାକୁ ପରୀକ୍ଷା ପାଇଁ ପଠାଯିବ ।ଅନ୍ୟପଟେ ଆଜି ସକାଳୁ ସକାଳୁ ଗୋପାଳର ଆଙ୍କୁଲି ସ୍ଥିତ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ଗୋପାଳର ପତ୍ନୀ ଓ ପୁତୁରାକୁ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା ଆରମ୍ଭ କରିଛି । ପୂର୍ବରୁ ଗୋପାଳର ବଡ଼ ଭାଇଙ୍କୁ ଜେରା କରି ଛାଡ଼ିଥିଲା କ୍ରାଇମବ୍ରାଞ୍ଚ । ତେବେ ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟା କଲା, ସେନେଇ ଏଯାବତ୍ କାରଣ ଅସ୍ପଷ୍ଟ ରହିଛି ।ସେପଟେ ହତ୍ୟାକାଣ୍ଡର ତଦନ୍ତ ପାଇଁ ସେଣ୍ଟ୍ରାଲ ଫୋରେନ୍‌ସିକ ଟିମ୍‌କୁ ଡକାଯାଇଥିଲା। ଦିଲ୍ଲୀରୁ ଆସିଥିବା ଏହି ୬ ଜଣିଆ ଟିମ୍ ଗତକାଲି ଅପରାହ୍ନରେ ଝାରସୁଗୁଡ଼ାରେ ପହଞ୍ଚିଥିଲେ। ଏହି ଟିମ୍ ଓଡ଼ିଶାର କ୍ରାଇମବ୍ରାଞ୍ଚକୁ କେମିତି ସହଯୋଗ କରିବ, ତାହା ସ୍ପଷ୍ଟ ହୋଇପାରିନାହିଁ। ଗୋପାଳର ପରିବାରକୁ ଆହୁରି ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଏସ୍‌ପି ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.