Jai Odisha
News

ମହାରାଣୀ ଏଲିଜାବେଥ-୨ ପରଲୋକ : ବ୍ରିଟେନରେ ୧୦ ଦିନ ରାଷ୍ଟ୍ରୀୟ ଶୋକ, ଶୋକ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,  ୦୯|୦୯: ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ପରଲୋକ ।  ଗୁରୁବାର ଦିନ ୯୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ବ୍ରିଟେନ ରାଜତନ୍ତ୍ରରେ ସର୍ବାଧିକ ସମୟ ଶାସନରେ ରହିଥିବା ରାଣୀ।  ବ୍ରିଟେନ୍‌ର ମହାରାଣୀ ଏଲିଜାବେଥ-୨ଙ୍କ ପରଲୋକରେ ସମଗ୍ର ବିଶ୍ୱ ସ୍ତବ୍ଧ ହୋଇଯାଇଛି ।୧୯୨୬ ଏପ୍ରିଲ ୨୧ ତାରିଖରେ ମହାରାଣୀ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ବ୍ରିଟେନର ରାଜା ଥିଲେ ପଞ୍ଚମ ଜର୍ଜ । ଏଲିଜାବେଥଙ୍କ ପିତା ଜର୍ଜ-୬ ମଧ୍ୟ ପରେ ବ୍ରିଟେନର ରାଜା ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନର ପ୍ରଧାନମନ୍ତ୍ରୀଙ୍କ ସତେମ ବିଶ୍ୱର ବଡ଼ ବଡ଼ ନେତା ମଧ୍ୟ ଶୋକ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମହାରାଣୀ ଏଲିଜାବେଥଙ୍କୁ ଭେଟିଥିବାର ଫଟୋ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ୨୦୧୫ ଓ ୨୦୧୮ରେ ୟୁକେ ଗସ୍ତ ସମୟରେ ମହାରାଣୀ ଏଲିଜାବେଥ-୨ଙ୍କୁ ଭେଟିବାର ସୁଯୋଗ ମିଳିଥିଲା । ଏହା ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା । ତାଙ୍କର ଯେଉଁ ଉତ୍ସାହ ଏବଂ ନମନୀୟ ବ୍ୟବହାରକୁ କେବେ ଭୁଲିହେବ ନାହିଁ । ସେ ଏକ ବୈଠକରେ ମୋତେ ଯେଉଁ ରୁମାଲ ଦେଖାଇଥିଲେ, ତାହା ଜାତିର ପିତା ମହାତ୍ମା ଗାନ୍ଧୀ ତାଙ୍କୁ ଉପହାର ସ୍ୱରୂପ ତାଙ୍କର ବିବାହ ସମୟରେ ଦେଇଥିଲେ । ଏହି ରୁମାଲକୁ ମହାରାଣୀ ସାଇତି ରଖିଥିଲେ ।  ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ କରି ଲେଖିଛନ୍ତି, ମହାମହିମ ମହାରାଣୀ ଏଲିଜାବେଥ-୨ ଆମ ସମୟରେ ଜଣେ ବଳିଷ୍ଠ ନେତ୍ରୀ ଭାବେ ମନେକରାଯିବ । ସେ ନିଜର ରାଷ୍ଟ୍ର ଏବଂ ଲୋକଙ୍କୁ ପ୍ରେରକ ନେତୃତ୍ୱ ପ୍ରଦାନ କରିଛନ୍ତି । ସେ ସର୍ବସାଧାରଣ ଜୀବନରେ ଗାରିମା ଓ ଶାଳୀନତାର ପରିଚୟ ଦେଇଛନ୍ତି । ତାଙ୍କର ପରଲୋକରେ ଗଭୀର ଶୋକ ଜଣାଉଛି । ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ ପରେ ଅପରେସନ ୟୁନିକର୍ଣ୍ଣ ଆରମ୍ଭ ହୋଇଯାଇଛି । ନିଧନରୁ ଅନ୍ତିମ ସଂସ୍କାର ମଧ୍ୟରେ ଥିବା ୧୦ ଦିନ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହାସହ ୧୦ ଦିନିକିଆ ଶୋକ ମଧ୍ୟ ପାଳନ ହେବ ।ରାଣୀଙ୍କ ଦେହାନ୍ତ ପରେ ସ୍କଟଲାଣ୍ଡ ସଂସଦ କାର୍ଯ୍ୟକୁ ବାତିଲ କରାଯାଇଛି । ମାହାରାଣୀଙ୍କ ପାର୍ଥୀବ ଶରୀର ପ୍ରଥମେ ରାଜପରିବାରର ଟ୍ରେନରେ ଏଡିନବର୍ଗ ନିଆଯିବ । ପରଦିନ ଜାଇଲ୍ସ କ୍ୟାଥଡ୍ରଲ୍ ଅଣାଯିବ । ଏଠାରେ ସାହି ପରିବାରର ସଦସ୍ୟ ଓ ସାଧାରଣ ଜନତା ପାର୍ଥୀବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେବେ । ଏହି କାର୍ଯ୍ୟକ୍ରମ ପରେ ମୃତଦେହକୁ ବକିଂହାମ ପ୍ୟାଲେସ ନିଆଯିବ । ସେଠାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇବେ । ଏଠାରେ ମୃତଦେହକୁ ୮ ଦିନ ରଖାଯିବ । ଶେଷରେ ଓ୍ୱେଷ୍ଟାମିନଷ୍ଟରରେ ଅନ୍ତିମ ସଂସ୍କାର କରାଯିବ ।

Leave A Reply

Your email address will not be published.