Jai Odisha
News

ମା’ଙ୍କ ପାଦୁକାରେ ଭଲ ହୁଏ ବିଇଞ୍ଚି ରୋଗ

ପର୍ଯ୍ୟଟନର ଆଢ଼ୁଆଳରେ ମା’ ବିରଞ୍ଚିନାରାୟଣୀ

 

ରାଜକନିକା,୧୬/୧୧:ରୋଗ ଭଲହେବା ପାଇଁ ଚାଲେ ପୂଜାଅର୍ଚ୍ଚନା । ଗୁରୁବାର ସକାଳୁ ସକାଳୁ ମା’ଙ୍କ ଦର୍ଶନ କରିବା ପାଇଁ ଲାଗିଯାଏ ଭିଡ଼ । ମା’ଙ୍କ ପାଦୁକାରେ ଭଲ ହୁଏ ବିଇଞ୍ଚି ରୋଗ । ଏହି ଧର୍ମୀୟ ବିଶ୍ୱାସରେ ମା’ ବିରଞ୍ଚିନାରାୟଣୀଙ୍କ ମହିମା କଟକ- ଚାନ୍ଦବାଲି ରାସ୍ତାର ରାଜକନିକା ବ୍ଲକ୍‍ ଚନ୍ଦନପୋଖରୀ ଛକ ନିକଟରୁ ୬ କିଲୋମିଟର ଦୂରରେ ଅବସ୍ଥିତ ଓଳାଭର ଦେଉଳସାହି ଗ୍ରାମ । ଏହି ଗ୍ରାମର ନାମକରଣରୁ ଦେଉଳଥିବାର ଯାହା ଅନୁମାନ କରାଯାଏ, ତାହା ଗାଁକୁ ଦେଖିଲେ ଜାଣି ହୁଏ । ଅନେକ ଦେଉଳ ଥିବାରୁ ଗାଁର ନାମ ଦେଉଳସାହି । ଏହି ଗ୍ରାମର ମଝିରେ ରହିଛି ମା’ ବିରଞ୍ଚିନାରାୟଣୀଙ୍କ ମନ୍ଦିର । ୧୬ପୁଟ ଉଚ୍ଚତାର ଏହି ମନ୍ଦିର ସାଧାସିଧା ଲାଗୁଥିଲେବି ମା’ଙ୍କ ଅପାର କରୁଣାରୁ ବର୍ଷ ସାରା ଏଠାରେ ଭକ୍ତମାନଙ୍କର ଭିଡ଼ ଲାଗି ରହିଥାଏ । ବିଜ୍ଞାନର ଦ୍ରୂତ ଅଗ୍ରଗତି ସତ୍ୱେ ଆଜିର ସମାଜରେ ମା’ଙ୍କ କରୁଣା ଏବଂ ପାଦୁକାରୁ ବିଇଞ୍ଚି ରୋଗରେ ଭଲ ହୋଇଛନ୍ତି ଶହ ଶହ ରୋଗୀ । ଏହି ରୋଗରେ ପୀଡ଼ିତ ବ୍ୟକ୍ତି  ମା’ଙ୍କ ନିକଟରେ ମାନସିକ କରେ । ଗୁରୁବାର ଦିନ ମା’ଙ୍କ ନିକଟରେ ଭୋଗରାଗ କରି ଧୂପ ଲଗାଏ । ଏକ ମାସ ପର୍ଯ୍ୟନ୍ତ ରୋଗ ଭଲ ହେବା ଯାଏ ଶରଣରେ ରହେ । ଏକ ମାସ ପର୍ଯ୍ୟନ୍ତ ପିଆଜ,ରସୁଣ ସହିତ ଆମିଷ ଖାଇବାରେ ବାରଣ କରେ । ଏହା ସହିତ ମାସକ ପର୍ଯ୍ୟନ୍ତ ମୁଣ୍ଡରେ ତେଲ ଲଗେଇବାରେ ରହେ ପ୍ରତିବନ୍ଧବ ।  ମା’ଙ୍କ ଏହି ନିୟମକୁ ମାନି ଏକ ମାସ ପର୍ଯ୍ୟନ୍ତ ନିଷ୍ଠାର ସହିତ ରହିଲେ ମା’ଙ୍କ ପାଦୁକା ଓ ହଳଦୀ ମଳକୁଟିରେ ରୋଗ ଭଲ ହୁଏ । ରୋଗ ଭଲ ହୋଇଗଲେ ମା’ଙ୍କ ନିକଟରେ ମାନସିକ ପୂରଣ ପାଇଁ ମାଟି ଘୋଡ଼ା  ଦେଇଥାନ୍ତି । ରନ୍ଧାଭୋଗ ସହିତ ପଞ୍ଚାମୃତ ଓ ଫଳଭୋଗ କରନ୍ତି ।

ଜନଶୃତିରୁ ଜଣାଯାଏ ଯେ,ପାଞ୍ଚଶହ ବର୍ଷ ତଳର କଥା । ମା’ବିରଞ୍ଚିନାରାୟଣୀ ପିଲାବେଶ ଧରି ଗାଁରେ ଅଧିକାଂଶ ସମୟ ପିଲାମାନଙ୍କ ସହିତ ଖେଳୁଥିଲେ । ହେଲେ ଗାଁର ଲୋକେ ଏହି ପିଲାଟି ପରିଚୟ ପାଇଲେ ନାହିଁ । ପଚାରିଲେ କହୁଥିଲେ ଏହି ଗାଁରେ ମୋ ଘର । ହେଲେ କାହାଘର ପିଲା ବୋଲି ପଚାରିଲେ  କିଛି କହୁ ନଥିଲେ । ହେଲେ ପିଲାଟିକୁ କିଛି ଦିନ ପରେ ଆଉ ଦେଖିବା ପାଇଁ ମିଳିନଥିଲା । କିଛିଦିନ ପରେ ଗାଁର ଜଣେ ମୁରବୀକୁ ସ୍ୱପ୍ନାଦେଶ ହେଲା ଯେ,ମୁଁ ଗାଁ ମଝିରେ ଅଛି । ମୋତେ ଖୋଳି ବାହାର କର । ଏହି ସ୍ୱପ୍ନାଦେଶ ପରେ ଗ୍ରାମବାସୀମାନେ ମା’ଙ୍କ ପ୍ରତିମାକୁ ମାଟି ତଳୁ  ଉଦ୍ଧାର କରିବା ସହିତ ପ୍ରତିଷ୍ଠା କରି ପୂଜାଅର୍ଚ୍ଚନା କଲେ । ମା’ଙ୍କ ନିକଟରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ବାଲ୍ୟ ଭୋଗ ଓ ମଧ୍ୟାନ୍ନରେ ଖେଚିୁଡ଼ି ପ୍ରସାଦ ଅର୍ପଣ କରାଯାଏ । ଚଇତି ପୂଜା,ଦୂର୍ଗାପୂଜା ,କାଳୀପୂଜା,ବାସନ୍ତି ଦୁର୍ଗାପୂଜା ଓ ବିଭିନ୍ନ ମାତୃପୂଜା ସମୟରେ ମା’ଙ୍କ ପୀଠରେ ସ୍ୱତନ୍ତ୍ର ପୂଜାଅର୍ଚ୍ଚନା କରାଯାଏ । ଚୈତ୍ର ମାସରେ  ମା’ଙ୍କ ପୀଠରେ ଜନ୍ତାଳ ଓ କୀର୍ତ୍ତନ ହୁଏ । ଏହି ଉତ୍ସବ ମାନଙ୍କରେ ପ୍ରବଳ ଭିଡ଼  ଦେଖିବା ପାଇଁ ମିଳେ ।  ମା’ ବିରଞ୍ଚିନାରାୟଣୀଙ୍କ ମନ୍ଦିରରେ ମା’ଙ୍କ ରୋଷଶାଳା, ପ୍ରାଚୀର, ପାନୀୟ ଜଳ, ଆଲୋକୀକରଣ ବ୍ୟବସ୍ଥା ହୋଇପାରି ନାହିଁ । ପ୍ରଶାସନ ଏବଂ ଜିଲା ପର୍ଯ୍ୟଟନ ବିଭାଗ ଏହି ମନ୍ଦିରର କୌଣସି ଉନ୍ନତି କରିନଥିବାର ଗ୍ରାମବାସୀ କହିଛନ୍ତି । ଏହା ସହିତ ପ୍ରଚାର ପ୍ରସାର ଅଭାବ ରହିଥିବାରୁ ଲୋକମାନଙ୍କ ବିଶ୍ୱାସ ଓ ଅସ୍ଥାରୁ ମା’ଙ୍କ କରୁଣାରୁ ବଂଚିତ ହେଉଛନ୍ତି ପର୍ଯ୍ୟଟକ ।   ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାନ ପାଇପାରିଲେ ଏହାର ଉନ୍ନତି ହୋଇପାରନ୍ତା । ହେଲେ ଏଦିଗରେ କେହି ଦୃଷ୍ଟି ଦେଉନଥିବାରୁ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ଏହି ମନ୍ଦିରକୁ ପର୍ଯ୍ୟଟନ କ୍ଷେତ୍ରର  ମାନ୍ୟତା ପ୍ରଦାନ କରିବା ଏହାର ଉନ୍ନୟନ କାର୍ଯ୍ୟ କରିବାକୁ ଦାବି ହେଉଛି ।

Leave A Reply

Your email address will not be published.