Jai Odisha
News

‘ମୋ ଗାଈ ମୋତେ ଫେରାଇ ଦିଅ’

ସୋନପୁର,୪/୨: ‘ମୋ ଗାଈ ମୋତେ ଫେରାଇ ଦିଅ’ । ଏହା ଜଣେ ନିରାଶ୍ରୟା ମହିଳାଙ୍କ ନିବେଦନ । କୌଣସି କାର୍ଯ୍ୟାଳୟରେ ନୁହେଁ, ଖୋଦ୍‌ ଜିଲ୍ଲାପାଳଙ୍କ କାର୍‌ ସମ୍ମୁଖରେ ଚଟାଣରେ ହାତଯୋଡ଼ି ଶୋଇପଡ଼ି ଏଭଳି ନିବେଦନ କରୁଥିଲେ ଜଣେ ବୃଦ୍ଧା । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ । ଜିଲ୍ଲାପାଳ ବି ସହୃଦୟତାର ସହ ବୃଦ୍ଧାଙ୍କ ଆକୁଳ ନିବେଦନ ଶୁଣିଛନ୍ତି । ଜନୈକ ବୃଦ୍ଧା ତରାସ ବାଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡା ନିକଟରେ ପହଞ୍ଚିଥିଲେ । ପୁଲିସ ତାଙ୍କୁ ଅଟକାଇବାରୁ ସେ କହିଥିଲେ, ଜିଲ୍ଲାପାଳଙ୍କୁ ଭେଟିବି ମୋର ଗୁହାରି ଅଛି । ଏବେ ଭେଟିବା ସମ୍ଭବ ନୁହେଁ ବୋଲି ପୁଲିସ ଯେତେ ବୁଝାଇଥିଲେ ମଧ୍ୟ ବୃଦ୍ଧା ଶୁଣି ନଥିଲେ । ଏହି ସମୟରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ କାର୍‌ ପହଞ୍ଚିଥିଲା । ବିନା ଚିନ୍ତାରେ ବୃଦ୍ଧା ସିଧାସଳଖ କାର୍‌ ସମ୍ମୁଖରେ ଲମ୍ବ ହୋଇ ଶୋଇ ଯାଇଥିଲେ । ସମସ୍ତେ ହତବାକ୍‌ । ବ୍ୟତିବ୍ୟସ୍ତ ହୋଇ ଜିଲ୍ଲାପାଳ ଗାଡ଼ିରୁ ଓହ୍ଲାଇ ବୃଦ୍ଧାଙ୍କୁ ଉଠାଇଥିଲେ । ପଚାରିଥିଲେ କଥା କ’ଣ? ବୃଦ୍ଧା କହିଥିଲେ । ମୋର ଚାରୋଟି ଗାଈ ଥିଲେ । ସେମାନଙ୍କ ସହ ମୋର ସମ୍ପର୍କ ନିବିଡ଼ । କିନ୍ତୁ କିଛି ଦିନ ହେବ ସେଗୁଡ଼ିକୁ କିଏ ନେଇଯାଇଛି । ସମସ୍ତେ କହୁଛନ୍ତି କାଞ୍ଜିଆହୁଦାରେ ରଖାଯାଇଛି । ଫାଇନ ଦେବାକୁ ପଡ଼ିବ । ଫାଇନ ପଛେ ଦେବି, ମୋ ଗାଈ ମୋତେ ଫେରାଇ ଦିଅ । କାନ୍ଦି କାନ୍ଦି ବିକଳ ହୋଇ ବୃଦ୍ଧା ତରାସ ବାଘ ଅନୁନୟ ବିନୟ ହୋଇଥିଲେ ।ସେ ବୃଦ୍ଧାଙ୍କୁ ବୁଝାଇଥିଲେ, ଗାଈ ଫେରାଇ ଦିଆଯିବ ବୋଲି । ତୁରନ୍ତ ସୋନପୁର ପୌରନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୁଟଙ୍କୁ ଖବର ଦିଆଯାଇଥିଲା । ଗାଈ କାଞ୍ଜିଆହୁଦାରେ ଥିବା ଜଣାପଡ଼ିବା ପରେ ବୃଦ୍ଧାଙ୍କୁ ସେଠାକୁ ନିଆଯାଇ ତାଙ୍କ ଗାଈ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Leave A Reply

Your email address will not be published.