Jai Odisha
News

ମୌସୁମୀ ଅଧିବେଶନ ଶେଷ,ଗୃହ ଅନିର୍ଦ୍ଦିଷ୍ଟ କାଳପାଇଁ ମୁଲତବୀ

ଭୁବନେଶ୍ୱର,୨/୮ : ଗତ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ବଜେଟ୍‌ ଅଧିବେଶନ ସୋମବାର ଶେଷ ହୋଇଛି । ଚଳିତମାସ ୪ ତାରିଖରେ ଅଧିବେଶନ ଶେଷ ହେବାକୁ ଥିବା ବେଳେ ଏହାର ୩ ଦିନ ପୂର୍ବରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଦିଷ୍ଟ କାଳପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।  ଜୁଲାଇ ୨ରୁ ଆରମ୍ଭ ହୋଇଥିବା ଷୋଡ଼ଶ ବିଧାନସଭାର ଦଶମ ଅଧିବେଶନ କାଳରେ ମୋଟ ୨୪ଟି କାର୍ଯ୍ୟ ଦିବସ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ୩ଟି କାର୍ଯ୍ୟଦିବସ ବାକି ଥିବାବେଳେ ଆଉ କୌଣସି ବିଶେଷ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନଥିବା ଦର୍ଶାଇ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବ ଏବଂ ଗୃହରେ ବିରୋଧୀ ଓ ଶାସକ ଦଳଙ୍କ ମତାମତ ଆଧାରରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୋମବାରଠାରୁ ଗୃହକୁ ଅନିର୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ପ୍ରଥମ ଦିନରେ ୨ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍‌ ଅର୍ଥମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଉପସ୍ଥାପନ କରିଥିଲେ । ଅଧିବେଶନର ୨୦ଟି କାର୍ଯ୍ୟଦିବସ ମଧ୍ୟରେ ୧୧ଟି ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇଥିଲା । ୮ଟି ବିଲ୍‌ ଉପସ୍ଥାପନ କରାଯାଇଥିବାବେଳେ ୭ଟି ବିଲ୍‌ ପାରିତ ହୋଇଥିଲା । ୨୧ଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଥିବାବେଳେ ୨୩ଟି ବିଭାଗର ଖର୍ଚ୍ଚଦାବି ଗିଲୋଟିନ ଦ୍ୱାରା ପାରିତ ହୋଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କପାଇଁ ଗୃହରେ ଏକ ସଂକଳ୍ପ ମଧ୍ୟ ପାରିତ ହୋଇଥିଲା । ସେହିପରି ଶନିବାର ଗୃହରେ ବ୍ୟୟମଞ୍ଜୁରି ବିଲ୍‌ ମଧ୍ୟ ପାରିତ ହୋଇଥିଲା ।ଅଧିବେଶନର ଶେଷ ଦିନରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଥିଲା । ତେବେ ଗତ ଶନିବାର ବିଧାନସଭାରେ ସବୁଦଳର ବିଧାୟକମାନେ ସେମାନଙ୍କ ଦରମା ବୃଦ୍ଧି ପାଇଁ ଦାବି କରିଥିବାବେଳେ ଏହାର ଅନୁଧ୍ୟାନ କରିରିପୋର୍ଟ ଦେବା ପାଇଁ ବାଚସ୍ପତି ବିଜେଡ଼ିର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ବିଧାୟକ ସୁଦାମ ମାରାଣ୍ଡି, ମୋହନ ମାଝୀ, ବିଷ୍ଣୁ ସେଠୀ, ତାରାପ୍ରସାଦ ବାହିନୀପତି, ସ୍ନେହାଙ୍ଗିନୀ ଛୁରିଆ, ସୀମାରାଣୀ ନାୟକ, ମକରନ୍ଦ ମୁଦୁଲି, ରାଜନ ଏକ୍କା ଏବଂ ଲକ୍ଷ୍ମଣ ମୁଣ୍ଡା ସଦସ୍ୟ ରହିଛନ୍ତି । କମିଟିର ରିପୋର୍ଟ ପାଇବା ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି ।

 

Leave A Reply

Your email address will not be published.