Jai Odisha
News

ରଥ ଖଳାରେ ଚାଲିଛି ଚାରି ନାହାକା ହଣା ,ସରିଲା ତିନି ରଥର ୩୯ ଚକ କାର୍ଯ୍ୟ

ପୁରୀ ୨୮।୦୫: ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା ଓ ଦୋଳବେଦି ପରିସର । ସ୍ନାନ ପୂର୍ଣ୍ଣମୀ ସୁଦ୍ଧା ରଥରେ ଉଠିବ ଚାରି ନାହାକା । ରଥଖଳାରେ ରଥ ନିର୍ମାଣକୁ ଆଜି ୨୪ ଦିନ ପୂରିଛି। ଆଜି କାମ ଶେଷ ସୁଦ୍ଧା ତିନି ରଥର ୪୨ଟି ଚକରୁ ୩୭ଟି ଚକ କାମ ‌ଶେଷ ହୋଇଛି। ବାକି ୫ ଚକ ନିର୍ମାଣ କାର୍ଯ୍ୟ ବି ଆଗେଇ ଚାଲିଛି। ସେପଟେ ତିନି ରଥର ତିନି ଭୂଇଁ ପାଇଁ ଭୂଇଁ ଚଉତା ଓ ମୁହାଣ୍ଟ କାମ ଶେଷ ହୋଇଛି। ନିରାଡ଼ି, ଓରା କାମ ଜାରି ରହିଛି। ଚାରିନାହାକା ନିର୍ମାଣ କାମ ଜାରି ରହିଥିବା ବେଳେ ପ୍ରତି ରଥର ୨ଟି ଲେଖାଏଁ ଚାରିନାହାକା ଶେଷ ହୋଇଛି। ସେପଟେ ଆଜି ବଡ଼ଠାକୁର ବଳଭଦ୍ରଙ୍କର ପୋଲ ଗୟଳ କାଠ ଚିରଟ କାମ ଆରମ୍ଭ ହୋଇଛି। ଦୋଳବେଦିଠାରେ କରତି ସେବକମାନେ ଏହି କାର୍ଯ୍ୟ ଜାରି ରଖିଛନ୍ତି। ପର୍ଯ୍ୟାୟକ୍ରମେ ନନ୍ଦିଘୋଷ ଓ ଦେବଦଳନ ରଥର ପୋଲ ଗୟଳ କାଠ ଚିରଟ ଆରମ୍ଭ ହେବ। ରଥ ଖଳାରେ ଚାଲିଛି ଚାରି ନାହାକା ହଣା । ଏ ଦୋଳବେଦି ପରିସରରେ କରତୀ ସେବକ ରଥର ପୋଲ ଗୟଳ କାଟୁଛନ୍ତି । ଗୟଳ ସ୍ଥାପନ ହେଲେ ରଥ ଉପରକୁ ଚାରି ନାହାକା ଉଠିବ । ମୁଖ୍ୟ କରତୀ ସେବକ ରଣଜିତ୍‌ କୁମାର ମହାରଣାଙ୍କ ତତ୍ତ୍ୱାବଧାନରେ ୪ଜଣ ସେବକ କାର୍ଯ୍ୟ ଜାରି ରଖିଛନ୍ତି । ଶୁକ୍ରବାର ଅପରାହ୍ନ ସୁଦ୍ଧା ୩୯ଟି ଚକ ତିଆରି ସରିଛି। ଏଣିକି ଦଣ୍ଡା ଅନୁକୂଳ ଓ ଭୂଇଁ କାଠରେ ବିନ୍ଧ ଅନୁକୂଳ ହେବ କହିଛନ୍ତି ଦେବୀ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ଓ ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର । ଦଣ୍ଡା ହେଉଛି ରଥର ମୂଳଦୁଆ । ଦଣ୍ଡା ହଣା ପାଇଁ କାଠ ପଡ଼ିଛି । ରଥଖଳାରେ ରଥର ଚକ ଓ ଖମ୍ବୀ ପ୍ରସ୍ତୁତ ହେଉଛି । ରଥର ଭୂଇଁ ନିର୍ମାଣରେ ଖମ୍ବୀ ଖଞ୍ଜା ହେବ । ଭୋଇ ସେବକମାନେ ଦଣ୍ଡା କାଠ ଯୋଗାଇ ଦେଇଛନ୍ତି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ଭୋଇସେବକମାନେ କାମ କରୁଛନ୍ତି । ଶୁକ୍ରବାର ସିଂହାସନ ଅପସର କାଠ ଯୋଗାଯାଇଛି । ନାହାକା ଅଖ ଡେରା ପରେ ବାକି ତାଳଧ୍ୱଜର ୬ଟି ଅଖ, ନନ୍ଦିଘୋଷର ୭ଟି ଓ ଦେବଦଳନର ୫ଟି ଅଖ ନିର୍ମାଣ ପାଇଁ କାଠ ପଡ଼ିଛି । ଆଠ କୋଣୀ ଚାରିନାହାକା ହଣା ଚାଲିଛି । ୪ଟି କାଠରୁ ୨ଟି ଚାରି ନାହାକା ହଣା ସରିଛି । ତିନି ରଥରେ ସମନ୍ୱୟ ରଖାଯାଇ ନିର୍ମାଣ କାର୍ଯ୍ୟ ଚାଲିଛି । ରୂପକାରମାନେ ଗୁଜରେ ରୂପକାର୍ଯ୍ୟ ସଂପୂର୍ଣ୍ଣ କରୁଛନ୍ତି । କମାର ସେବକମାନେ ଦଣ୍ଡା ବିଡ଼ିଆ କଣ୍ଟା, ଘଡ଼ିମୁହଁ କଣ୍ଟା ଆଦି ପ୍ରସ୍ତୁତ କରଛନ୍ତି । ତାଳଧ୍ୱଜ ରଥର ୧୪ଟିରୁ ୧୩ଟି ଚକ, ଦେବଦଳନ ରଥର ୧୨ଟିରୁ ୧୧ଟି ଓ ନନ୍ଦିଘୋଷ ରଥର ୧୬ଟିରୁ ୧୫ଟି ଚକ ସଂପୂର୍ଣ୍ଣ ହୋଇଛି । ତିନି ରଥର ନାହାକା ଅଖ ସହ ଚକ ସଂଯୁକ୍ତ ସରିଛି । ଶୁକ୍ରବାର ସୁଦ୍ଧା ୩୯ଟି ସିଙ୍ଗଡ଼ା ବାଡ଼ିଆ ସରିଛି । ରଥତ୍ରୟର ଶେଷ ଚକ ଏକା ସମୟରେ ପ୍ରସ୍ତୁତ ହେବାର ପରମ୍ପରା ରହିଛି । ଯନ୍ତାଗାଡ଼ରେ ତିନୋଟି ସିଙ୍ଗଡ଼ାବାଡ଼ିଆ ହେବା ଅବସରରେ ପଣା ଭୋଗ ଅର୍ପଣ କରାଯାଇ ନିର୍ମାଣକାରୀଙ୍କ ଭିତରେ ବଣ୍ଟା ଯିବ । ଚକ ଓ ଅଖ ଗୁଡିକ ବିଶ୍ୱକର୍ମାମାନେ ମାପଚୁପ କରି ରଥର ମୂଳଦୁଆ ପ୍ରସ୍ତୁତ କରିବେ । ଅଖ ଉପରେ ଦଣ୍ଡା ପଡ଼ିବ । ଦଣ୍ଡା ଉପରେ ଗରଗରା ରହିବ । ଗରଗରା ଉପରେ ଚାରି ନାହାକା ଉଠିବ ।

Leave A Reply

Your email address will not be published.