Jai Odisha
News

ରାଉରକେଲାରେ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର ,୧୩/୦୮:  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶ୍ରୀ ପ୍ରଧାନ ଆଜି ରାଉରକେଲା ରେଳ ଷ୍ଟେସନ ଠାରେ ଭାରତ ସରକାରଙ୍କ ତରଫରୁ ଆୟୋଜିତ ହର୍ ଘର୍ ତ୍ରିରଙ୍ଗା ଏବଂ ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀର ଲୋକାର୍ପଣ କରିବେ । ପରେ ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ୧୯ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ ।କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳ ପ୍ରାୟ ସାଢେ ଆଠଟାରେ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲେ। ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ଜିଲ୍ଲା ସଭାନେତ୍ରୀ ଲତିକା ପଟନାୟକ, ଧୀରେନ ସେନାପତି ଓ ନିହାର ରାୟ ପ୍ରମୁଖଙ୍କ ସମେତ ଶତାଧିକ ନେତା ଓ କର୍ମୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ବାଜା ଓ ନାଚଗୀତରେ କମ୍ପିଥିଲା ରାଉରକେଲା ରେଳ ଷ୍ଟେସନ। ସେଠାରୁ ସେମାନେ କେନ୍ଦ୍ରମନ୍ତ୍ରୀଙ୍କୁ ବାଇକରାଲିରେ ରାଉରକେଲା ହାଉସ ପ୍ରର୍ଯ୍ୟନ୍ତ ପାଛୋଟି ନେଇଥିଲେ। ସକାଳ ୯ଟା ୧୫ ମିନିଟରେ ରାଉରକେଲା ରେଲୱେ ଷ୍ଟେସନରେ ହର ଘର ତ୍ରିରଙ୍ଗା ପ୍ରଦର୍ଶନୀକୁ ଉଦଘାଟନ କରିବେ। ସକାଳ ୯ଟା ୪୫ ମିନିଟରେ ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ।  ଏନଆଇଟି ରାଉରକେଲାରୁ ବାହାରିବା ପରେ ବିର୍ସା ମୁଣ୍ଡା ଛକରେ ଦଳ ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବେ । ଅପରାହ୍ଣରେ ଚାମ୍ବର ଭବନ ଠାରେ ରାଉରକେଲା ଚାମ୍ବର ଅଫ୍ କମର୍ସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଯିବେ । ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୁନ୍ଦରଗଡ଼ରେ ଅନୁଷ୍ଠିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବା ପରେ ସନ୍ଧ୍ୟାରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।ସୁନ୍ଦରଗଡ ଜିଲ୍ଲା ଗସ୍ତ ସାରି ସେ ସନ୍ଧ୍ୟା ୬ଟାରେ ସମ୍ବଲପୁରକୁ ପହଞ୍ଚି ସିଧା ସମଲେଇଙ୍କ ଦର୍ଶନ କରିବେ । ଏହାପରେ ମନ୍ଦିର ପରିସରରେ ସର୍ବସାଧାରଣଙ୍କୁ ତିରଙ୍ଗା ପତାକା ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ସେ କୁଞ୍ଜେଲପଡା ସ୍ଥିତ ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟରେ ଏକ ବୈଠକରେ ଯୋଗ ଦେଇ ରାତିରେ ପୁଣି ତପସ୍ୱିନୀ ଏକ୍ସପ୍ରେସରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ଥିବା ନେଇ ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ପ୍ରବକ୍ତା ମାନସ ବକ୍ସି ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.