Jai Odisha
News

ରାଜ୍ୟରେ ବନ୍ୟାଜଳ ଅସମ୍ଭାଳ,ରାତି ସୁଦ୍ଧା ହୀରାକୁଦରେ ଖୋଲିବ ୪୦ଟି ଗେଟ୍

ଭୁବନେଶ୍ୱର,୧୬।୮ : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ  ବନ୍ୟାଜଳ ଅସମ୍ଭାଳ ହୋଇଛି । ଏହି ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ସୃଷ୍ଟି ହୋଇ ଥିବା ବେଳେ ଆହୁରି ବହୁତ ଜାଗାରେ ଆଶଙ୍କା ବୃଦ୍ଧି ପାଉଛି । ସେପଟେ ମହାନଦୀର ପାଣି ଏବଂ ହୀରାକୁଦରେ ମଧ୍ୟ ବନ୍ୟାଜଳ ଅସମ୍ଭାଳ ହୋଇଛି । ତେଣୁ ଖୁବ ଶୀଘ୍ର ଏହାର ଗେଟ୍ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରାତି ସୁଦ୍ଧା ଡ୍ୟାମରେ ମୋଟ ୪୦ଟି ଗେଟ୍ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି ।ଜଳସ୍ତର ବଢ଼ିବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଅପରାହ୍ନ ୪ଟାରେ ପୁଣି ୫ଟି ସ୍ଲୁଇସ୍‌ ଗେଟ୍‌ ଖୋଲିଦିଆଯାଇଛି। ଏଥି ସହିତ ବର୍ତ୍ତମାନ ଜଳଭଣ୍ଡାରରୁ ୩୧ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ବାମ ପାର୍ଶ୍ବରୁ ୨୩ଟି ଓ ଦକ୍ଷିଣ ପାର୍ଶ୍ବରୁ ୮ଟି ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଜଳଭଣ୍ଡାରର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ତେବେ ଆଜି ରାତି ୮ଟା ପରେ ପର୍ଯ୍ୟାୟ କ୍ରମେ ଆହୁରି ୯ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେବ। ଜଳ ସଂପଦ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅର୍ଥାତ ଆଜି ସନ୍ଧ୍ୟା ୮ଟା ପରେ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେବ।ଅନ୍ୟପଟେ ଫୁଲୁଛି ହୀରାକୁଦ ଡ୍ୟାମ୍ । ଦିନ ୧୨ଟା ସୁଦ୍ଧା ୬୨୬.୦୮ ଫୁଟ୍ ଟପିସାରିଛି ଜଳସ୍ତର । ହୀରାକୁଦରେ ପ୍ରବେଶ କରୁଛି ୭ ଲକ୍ଷ ୮୮ ହଜାର ୬୫୨ କ୍ୟୁସେକ୍ ଜଳ । ନିଷ୍କାସିତ ହେଉଛି ୪ ଲକ୍ଷ ୪୫ ହଜାର ୫୮୯ କ୍ୟୁସେକ୍ ଜଳ । ବର୍ତ୍ତମାନ ୩୧ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ସମୟାନୁକ୍ରମେ ଆଜି ୪୦ଟି ଗେଟ୍‌ ଖୋଲି ଜଳ ନିଷ୍କାସନ କରାଯିବ । ତେବେ ହୀରାକୁଦ ଡ୍ୟାମ୍‌ର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ବୋଲି କୁହାଯାଇଛି ।ହୀରାକୁଦରେ ୪୦ ଗେଟ୍ ଖୋଲିବା ନିଷ୍ପତ୍ତିରେ ଛତିଶଗଡର କୌଣସି ସମ୍ପର୍କ ନାହିଁ । ବନ୍ୟାର ସ୍ଥିତି ଦେଖିବା ସହ ଟେକ୍ନିକାଲ କମିଟି ସହ ଆଲୋଚନା କରିବା ପରେ ହିଁ ଏହି ନିଷ୍ପତ୍ତି ନିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ତେବେ ବନ୍ୟା ନିୟନ୍ତ୍ରଣ କରିବାକୁ ଜଳ ଭଣ୍ଡାର ନିର୍ମାଣ କରାଯାଇଥାଏ । ତେଣୁ ବନ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଟେକ୍ନିକାଲ କମିଟି ନିଷ୍ପତ୍ତି ଅନୁସାରେ କାର୍ଯ୍ୟ ହେଉଥିବା ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.