Jai Odisha
News

ରାଜ୍ୟରେ ମୌସୁମୀ ସକ୍ରିୟ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୧/୦୭ : ରାଜ୍ୟରେ   ମୌସୁମୀ ବାୟୁ ସକ୍ରିୟ   ।   ଓଡ଼ିଶାର ଦକ୍ଷିଣାଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ତେଣୁ ରାଜ୍ୟରେ ଆସନ୍ତା ୫ରୁ ୭ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ସୂଚନା ଦେଇଛନ୍ତି । ଆସନ୍ତା ୨ ଦିନ ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ୧୨ରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ୧୨ ଓ ୧୩ରେ ପ୍ରବଳରୁ ପ୍ରବଳତର ବର୍ଷା ହେବାର ସମ୍ଭାବନା ରହିଛି । ଗତ ଜୁନ୍‌ ମାସରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଜୁଲାଇ ଆରମ୍ଭରୁ ସାରା ରାଜ୍ୟରେ ଭଲ ବର୍ଷା ଲାଗି ରହିଛି । ଫଳରେ ବର୍ଷା ଅଭାବସ୍ଥିତିରେ ସୁଧାର ଆସିଛି । ଜୁନ୍‌ ପହିଲାରୁ ଏ ପର୍ଯ୍ୟନ୍ତ ମୋଟ ବର୍ଷାକୁ ଦେଖିଲେ ସ୍ଥିତି ସ୍ୱାଭାବିକ ରହିଛି ବୋଲି ଶ୍ରୀ ବିଶ୍ୱାସ କହିଛନ୍ତି । ବିଶେଷ କରି ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ଅତ୍ୟଧିକ ବର୍ଷା ହୋଇଛି । ୧ରୁ ୬ ତାରିଖ ମଧ୍ୟରେ ରାଜ୍ୟରେ ଯେତିକି ବର୍ଷା ହେବା କଥା ତା’ଠାରୁ ୨୬% ଅଧିକ ବର୍ଷା ହୋଇଥିବା ସୂଚନା ଦିଆଯାଇଛି ।

 

Leave A Reply

Your email address will not be published.