Jai Odisha
News

ରାଜ୍ୟ କ୍ୟାବିନେଟ୍‌ରେ ୧୭ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର, ୧୩/୦୮ :  ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅପରାହ୍ଣରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୋଟ୍‌ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ, ପଞ୍ଚାୟତିରାଜ ଓ ପାନୀୟଜଳ, ଯୋଜନା ଓ ସଂଯୋଜନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି ଏବଂ ଜଳସମ୍ପଦ ବିଭାଗର ବହୁ ପ୍ରସଙ୍ଗ ଉପରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମିଲେଟ୍‌ ମିଶନକୁ ସମ୍ପ୍ରସାରିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମିଲେଟ୍‌ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ମଧ୍ୟ ବୈଠକରେ ମଞ୍ଜୁରୀ ମିଳିଛି । ଆଦିବାସୀ ଅଧ୍ୟ୍ୟଷିତ ଅଞ୍ଚଳରେ ମିଲେଟ୍‌ ମିଶନର ବିକାଶ କରାଯିବ । ୪ ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ ନିର୍ମାଣ କରାଯିବ । ସେହିପରି ସୁନ୍ଦରଗଡ଼ର କୋଏଲ ନଦୀରେ ଇନ୍‌ଷ୍ଟ୍ରିମ୍‌ ବ୍ୟାରେଜ୍‌କୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ସେହିଭଳି ବୈଠକରେ ଏକାଧିକ ଗ୍ରାମ୍ୟ ପାନ୍ୟଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । କେନ୍ଦ୍ର ସରକାରଙ୍କ ଜଳଜୀବନ ମିଶନ ଯୋଜନା ଅନ୍ତର୍ଗତ ୩ଟି ଜିଲ୍ଲା ଢେଙ୍କନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୧୨୧୦.୦୪ କୋଟି ଟଙ୍କାର ୩ଟି ଟେଣ୍ଡରକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି । ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ୯ଟି ବ୍ଲକ୍‌ର ୧୮୮ଟି ପଞ୍ଚାୟତର ୧୦୯୪ଟି ଗ୍ରାମର ୧୦ ଲକ୍ଷ ୧୯ ହଜାର ୪୮୭ ଅଧିବାସୀ ଉପକୃତ ହେବେ । ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଓ କଙ୍କଡ଼ାହାଡ଼ ସମେତ ୪ଟି ବ୍ଲକ୍‌ର ୭୧ଟି ପଞ୍ଚାୟତ ଅଧିବାସୀ ଉପକୃତ ହେବାକୁ ଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ରାଜନଗର ଓ ଗରଦପୁର ବ୍ଲକ୍‌ର ୭୬ଟି ପଞ୍ଚାୟତର ୫୨୨ଟି ଗ୍ରାମର ଅଧିବାସୀ ଉପକୃତ ହେବେ । ସେହିପରି ବାଲେଶ୍ୱର ଜିଲ୍ଲାର ରେମୁଣା, ଖଇରା ଓ ବାଲେଶ୍ୱର ବ୍ଲକ୍‌ ଅନ୍ତର୍ଗତ ୪୧ଟି ପଞ୍ଚାୟତର ୩୦୧ଟି ଗ୍ରାମର ଅଧିବାସୀ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବେ । ଢେଙ୍କାନାଳ ଜିଲ୍ଲା ପାଇଁ ମେସର୍ସ ଲକ୍ଷ୍ମୀ ସିଭିଲ୍‌ ଇଂଜିନିୟରିଂ ସର୍ଭିସ ପ୍ରାଇଭେଟ୍‌ ଲିମିଟେଡ ଟେଣ୍ଡର ନେଇଥିବାବେଳେ କେନ୍ଦ୍ରାପଡ଼ା ପାଇଁ ଅନୁରୂ ଭାବେ ସେହି କମ୍ପାନୀକୁ କାର୍ଯ୍ୟଭାର ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲା ପାଇଁ ହାଇଦ୍ରାବାଦସ୍ଥିତ ମେସର୍ସ ଏନସିସି ଲିମିଟେଡ୍‌କୁ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ ପାଇଁ ଦାୟିତ୍ୱ ଅର୍ପଣ କରାଯାଇଛି । ବୈଠକରେ ଇଣ୍ଟିଗ୍ରେଟେଡ୍‌ ମାଇନ୍ସ ଆଣ୍ଡ ମିନେରାଲ ମନିଟରିଂ ଯୋଜନାକୁ ଆଉ ୫ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.