Jai Odisha
News

ରୁଷିଆ-ୟୁକ୍ରେନ ଯୁଦ୍ଧକୁ ପୂରିଲା ବର୍ଷେ ,ଶାନ୍ତି ପ୍ରତିଷ୍ଠା ସମ୍ପର୍କୀତ ପ୍ରସ୍ତାବ ୟୁଏନଜିଏରେ ଗୃହୀତ

କିଭ୍‌,୨୪।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ଆଜି ବର୍ଷେ ପୂରଣ ହୋଇଛି। ୨୪ ଫେବୃଆରୀ ୨୦୨୨ରେ, ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଚାଲିଛି । ବିଭିନ୍ନ ରିପୋର୍ଟ ଅନୁଯାୟୀ, ଗୋଟିଏ ବର୍ଷ ମଧ୍ୟରେ ଉଭୟ ପାର୍ଶ୍ୱରେ ତିନି ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ଯୁଦ୍ଧରେ ଆମେରିକା ସମେତ ବିଶ୍ୱର ଅନେକ ବଡ ଦେଶ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି। ଏହି କ୍ରମରେ ଜି -୭ ଦେଶ ୟୁକ୍ରେନ ପାଇଁ ଆର୍ଥିକ ସହାୟତାକୁ ୩୯ ବିଲିୟନ ଡଲାରକୁ ବୃଦ୍ଧି କରିଛନ୍ତି। ଏହା ବ୍ୟତୀତ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମଧ୍ୟ ରୁଷିଆର ଆକ୍ରମଣର ପ୍ରଭାବକୁ ମୁକାବିଲା କରିବାରେ ମାର୍ଚ୍ଚ ସୁଦ୍ଧା ଏହି ଦେଶକୁ ଏକ ନୂତନ ଆର୍ଥିକ ପ୍ୟାକେଜ ଆହ୍ବାନ କରିଛି। ଜି-୭ରେ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ବ୍ରିଟେନ, କାନାଡା, ଜାପାନ ଏବଂ ଆମେରିକା ସାମିଲ ଅଛି|ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ଏକବର୍ଷ ପୂରଣ ହୋଇଥିବାବେଳେ, ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ସମ୍ପର୍କୀତ ଏକ ପ୍ରସ୍ତାବ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଗୃହୀତ ହୋଇଛି। ୟୁକ୍ରେନରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବା ସହ ଆକ୍ରମଣରୁ ବିରତ ରହିବାକୁ ଏହି ପ୍ରସ୍ତାବ ମାଧ୍ୟମରେ ରୁଷକୁ ଅନୁରୋଧ କରାଯାଇଛି। ଏହି ପ୍ରସ୍ତାବ ସପକ୍ଷରେ ୧୪୧ ସଦସ୍ୟ ଭୋଟ ଦେଇଥିବା ବେଳେ ୭ ଜଣ ଏହାର ବିରୋଧ କରିଛନ୍ତି। ତେବେ ଭାରତ ସମେତ ୩୨ଟି ଦେଶ ଭୋଟଦାନରୁ ବିରତ ରହିଥିଲେ। ୟୁକ୍ରେନର ସାର୍ବଭୌମତ୍ୱ ତଥା ଅଖଣ୍ଡତା ବଜାୟ ରଖିବା ସହ ଏହି ପ୍ରସ୍ତାବକୁ ସମର୍ଥନ କରିବା ଲାଗି ୭୫ରୁ ଅଧିକ ଦେଶର ବୈଦେଶିକ ମନ୍ତ୍ରୀ ଓ ପ୍ରତିନିଧିମାନେ ଦୁଇଦିନ ଧରି ଆଲୋଚନା କରିଥିଲେ। ଏଥିରେ ଉଦବେଧନ ଦେଇ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କ୍ୟାମ୍ବୋଜ୍ କହିଛନ୍ତି, ୟୁକ୍ରେନରେ ସୃଷ୍ଟି ହୋଇଥିବା ପ୍ରତିସ୍ଥିତି ଲାଗି ଭାରତ ନିଜର ଉଦବେଗ ପ୍ରକାଶ କରିଛି । ଏହି ସଂଘର୍ଷ ଯୋଗୁଁ ଅଗଣିତ ନାଗରୀକ ନିଜର ବାସସ୍ଥାନ ହରାଇବା ସହ ସର୍ବହରା ହୋଇଛନ୍ତି। ତେବେ ୟୁକ୍ରେନ୍ ବିବାଦକୁ ଭାରତ ବର୍ତ୍ତମାନ ସୁଦ୍ଧା ମାନବିକତା ଦୃଷ୍ଟିରେ ଦେଖିଆସିଛି ଏବଂ ଭବିଷ୍ୟତରେ ମଧ୍ୟ ଏହା ଜାରି ରଖିବ। ଏହାର ଅଂଶସ୍ୱରୂପ ଭାରତ ପକ୍ଷରୁ ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇ ଦିଆଯାଉଛି ବୋଲି ଶ୍ରୀମତୀ କ୍ୟାମ୍ବୋଜ୍ କହିଛନ୍ତି।

Leave A Reply

Your email address will not be published.