Jai Odisha
News

ଶିଳ୍ପପତି ରାହୁଲ ବଜାଜଙ୍କ ପରଲୋକ

ପୁଣେ,୧୨/୦୨ : ବଜାଜ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜଙ୍କର ଶନିବାର ୮୩ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ୫୦ ବର୍ଷ ଧରି ବଜାଜ ଗ୍ରୁପର ନେତୃତ୍ୱ ନେଇଥିବା ପଦ୍ମ ଭୂଷଣ ରାହୁଲ ବଜାଜଙ୍କର ପୁଣେସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି । ସେ ଗତ କିଛି ବର୍ଷ ଧରି କର୍କଟ ରୋଗରେ ପୀଡିତ ଥିଲେ । ତାଙ୍କ ବିୟୋଗରେ ଦେଶର ବ୍ୟବସାୟ ଜଗତରେ ଶୋକର ଲହରୀ ଖେଳିଯାଇଛି । ରାହୁଲ ବଜାଜ ୧୯୩୮ ମସିହା ଜୁନ ୧୦ ତାରିଖରେ ବଙ୍ଗଳା ପ୍ରେସିଡେନ୍ସିରେ ଜନ୍ମଗ୍ରହଣ କରିଥିଲେ। ବଜାଜ ବ୍ୟବସାୟୀକ ସାମ୍ରାଜ୍ୟର ମୂଳଦୁଆ ପ୍ରକୃତରେ ରାହୁଲଙ୍କ ଜେଜେ ବାପା ଜମନାଲାଲ ବଜାଜଙ୍କ ଦ୍ୱାରା ପଡିଥିଲା । ଯାହାକୁ ରାହୁଲ ବଜାଜ ନେତୃତ୍ବ ନେଇ ବହୁ ଉଚ୍ଚକୁ ନେଇ ଯାଇଥିଲେ।ବଜାଜ ଚେତକ ନାମ ବିଷୟରେ ସମସ୍ତେ ଅବଗତ । ରାହୁଲ ବଜାଜଙ୍କ ନେତୃତ୍ୱରେ ବଜାଜ ଚେତକ ସ୍କୁଟର ଆରମ୍ଭ ହୋଇଥିଲା ଏବଂ ଖୁବ୍ ଶୀଘ୍ର ଦୁଇ ଚକିଆ ଯାନ ବର୍ଗରେ ସବୁଠାରୁ ଅଧିକ ଓ ଲୋକପ୍ରିୟ ସ୍କୁଟର ବ୍ରାଣ୍ଡ ହୋଇଯାଇଥିଲା । ରାହୁଲ ସେହି ବଜାଜ ଗୋଷ୍ଠୀର ଚେୟାରମ୍ୟାନ୍ ଥିଲେ, ଚେତକର ଲୋକପ୍ରିୟତା ଏତେ ଥିଲା ଯେ ସେହି ସମୟରେ ବଜାଜ ଗୋଷ୍ଠୀକୁ ଭାରତର ହୃଦସ୍ପନ୍ଦନ କୁହାଯାଉଥିଲା । ଉଲ୍ଲେଖଯୋଗ୍ୟ ଯେ,୧୯୮୦ ଦଶକରେ ବଜାଜ ଗୋଷ୍ଠୀ ଦୁଇ ଚକିଆ ସ୍କୁଟରର ସର୍ବୋଚ୍ଚ ଉତ୍ପାଦକ ଥିଲେ। ଏହି ଗୋଷ୍ଠୀର ଚେତକ ବ୍ରାଣ୍ଡ ସ୍କୁଟରର ଚାହିଦା ଏତେ ଅଧିକ ଥିଲା ଯେ ଏଥି ପାଇଁ ଅଗ୍ରୀମ ବୁକିଂ କରି୧୦ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପହୁଥିଲା।ଶିଳ୍ପ ଏବଂ ବାଣିଜ୍ୟ କ୍ଷେତ୍ରକୁ ରାହୁଲ ବଜାଜଙ୍କ ଅବଦାନ ପାଇଁ  ଭାରତ ସରକାର ୨୦୦୧ରେ ତାଙ୍କୁ ପଦ୍ମ ଭୂଷଣ ପ୍ରଦାନ କରିଥିଲେ। ସେ ମଧ୍ୟ ରାଜ୍ୟସଭାର ସଦସ୍ୟ ଥିଲେ। ରାହୁଲ ବଜାଜଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ ‘ନାଇଟ୍ ଅଫ୍ ନ୍ୟାସନାଲ ଅର୍ଡର ଅଫ୍ ଳିଜନ ଅଫ୍ ଅନର’ରେ ସମ୍ମାନିତ କରାଯାଇଥିଲା। ରାହୁଲ ବଜାଜ ହେଉଛନ୍ତି ସେହି ବ୍ୟବସାୟୀ ଯିଏ ଉଦାରୀକରଣକୁ ବିରୋଧ କରିଥିଲେ । ତାଙ୍କୁ ସାତଟି ବିଶ୍ୱବିଦ୍ୟାଳୟ ଦ୍ୱାରା ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି।ଭେଟେରାନ ଶିଳ୍ପପତି ରାହୁଲ ବଜାଜ ଗତ ବର୍ଷ ଏପ୍ରିଲ ୨୯ ତାରିଖରେ ବଜାଜ ଅଟୋ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ସେ ବୟସଗତ ବାର୍ଦ୍ଧକ୍ୟତା କାରଣ ଦର୍ଶାଇ ପଦ ଛାଡିଥିଲେ। ସେ ୧୯୭୨ ପରଠାରୁ ବଜାଜ ଗ୍ରୁପର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ। ରାହୁଲ ବଜାଜ ୧୯୬୫ ମସିହାରେ ବଜାଜ ଗ୍ରୁପରେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ପରେ, ସେ ବଜାଜ ଗୋଷ୍ଠୀକୁ ଦେଶର ବୃହତ୍ତମ ବ୍ୟବସାୟ ଗୋଷ୍ଠୀ ଭାବରେ ପରିଣତ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ।

Leave A Reply

Your email address will not be published.