Jai Odisha
News

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ୱର,,୩୦।୧:   ବ୍ରଜରାଜନଗରରେ ଗୁଳିମାଡ଼ର ଶିକାର ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ ଘଟିଛି । କ୍ୟାପିଟାଲ ହସ୍ପିଟାଲରେ ରବିବାର ରାତିରେ ମନ୍ତ୍ରୀ ନବ ଦାସଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ସେଠାରୁ ପାର୍ଥିବ ଶରୀର ବିଧାନସଭା ଅଣାଯାଇଥିଲା। ସେଠାରେ ବାଚସ୍ପତିଙ୍କଠାରୁ ଆରମ୍ଭ କରି ବହୁ ବିଧାୟକ, ମନ୍ତ୍ରୀ ଓ ପୂର୍ବତନ ବିଧାୟକମାନେ ନବଙ୍କ ମରଶରୀର ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ପରେ ନବଙ୍କ ମରଶରୀରକୁ ତାଙ୍କ ସରକାରୀ ବାସଭବନକୁ ନିଆଯାଇଥିଲା। ସେଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ତାଙ୍କ ଶେଷ ଦର୍ଶନ କରିଥିଲେ। ଏହାରି ମଧ୍ୟରେ ଆଜି ନବ ଦାସଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନବଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତାଙ୍କ ସହ ୫ଟି ସଚିବ ଭି କେ ପାଣ୍ଡିଆନ୍ ମଧ୍ୟ ଅନ୍ତିମ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଘର ଭିତରକୁ ଯାଇ ପରିବାରର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ।ଭୁବନେଶ୍ୱର ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ ନବ ଦାସଙ୍କ ପାର୍ଥିକ ଶରୀରକୁ ପୁଷ୍ପଗୁଚ୍ଛା ଦେଇ ମୁଖ୍ୟମନ୍ତ୍ରୀ ଶେଷଦର୍ଶନ କରିଛନ୍ତି । ତେବେ ଶେଷ ଦର୍ଶନ କରି ଭାବବିହ୍ୱଳ ହେବା ସହ ତାଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଛନ୍ତି ନବୀନ । ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଶେଷ ଦର୍ଶନ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ପହଞ୍ଚି ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ରାଜ୍ୟପାଳ ।ନବ ଦାସଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଛି।ବାଚସ୍ପତି ବିକ୍ରମ କେଶରୀ ଆରୁଖ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରମୁଖ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ମନ୍ତ୍ରୀମାନେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଝାରସୁଗୁଡ଼ାରେ ନବ ଦାସଙ୍କ ଶେଷକୃତ୍ୟ ହେବ ବୋଲି ଜଣାଯାଇଛି।

 

Leave A Reply

Your email address will not be published.