Jai Odisha
News

ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ପାଇଁ ଲାଗି ହେଲା ଶ୍ରୀଜିଉଙ୍କ ଆଜ୍ଞାମାଳ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୋଇଯାଇଛି। ଆଜି ତୃତୀୟା ତିଥିରେ ଶ୍ରୀଜୀଉମାନଙ୍କ ରଥ ନିର୍ମାଣ ଅନୁକୂଳ କରାଯାଇଛି |ପରମ୍ପରା ଅନୁଯାୟୀ ରଥ ଖଳାରେ ୩ଟି ୧୨ଫୁଟିଆ ଧଉରା କାଠ ରଖା ଯାଇଛି।  ରଥଖଳାରେ ସ୍ତୋତ୍ରିୟ ବ୍ରାହ୍ମଣ ହୋମ ଯଜ୍ଞ  ହୋଇଛି। ଶ୍ରୀମନ୍ଦିରରୁ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ପୂଜାପଣ୍ଡାଙ୍କ ଦ୍ୱାରା ରଥ ଖଳାକୁ ବିଜେ କରାଯିବ। ୩ଟି ଧଉରା କାଠରେ ଆଜ୍ଞାମାଳ ଲାଗି କରାଯିବ। ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ଯଜ୍ଞସ୍ଥଳକୁ ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ ହୋଇଛି। ଏହା ପରେ ଶାସ୍ତ୍ରୀୟ ବନଜାଗ ବିଧିରେ ହୋମଯଜ୍ଞ ସହ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ପର୍ବ ଅନୁଷ୍ଠିତ ହୋଇଛି। ଏହାସହ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ବ୍ରାହ୍ମଣବରଣ ପରେ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥର ମୁଖ୍ୟ ବିଶ୍ବକର୍ମାଙ୍କ ସହ ଅନ୍ୟ ପ୍ରମୁଖ ସେବକମାନେ ରଥ ନିର୍ମାଣ ପାଇଁ ଶାଢ଼ି ବନ୍ଧାଇଛନ୍ତି। ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଏହି ପବିତ୍ର କାର୍ଯ୍ୟକୁ ଦେଖିବାର ସୌଭାଗ୍ୟ ଅର୍ଜିଛନ୍ତି। ଏଥିପାଇଁ ବଡ଼ଦାଣ୍ଡ ‌ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଛି।ବିଧି ଅନୁଯାୟୀ, ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଅସ୍ଥାୟୀ ଯଜ୍ଞଶାଳାରେ ତିନି ଧଉରା କାଠ ରଖାଯାଇ ଶାସ୍ତ୍ର ଅନୁସାରେ ବନଜାଗ ବିଧିରେ ହୋମଯଜ୍ଞ ହୋଇଥିଲା। ଦେଉଳ ପୁରୋହିତ, ରାଜଗୁରୁ, ଶ୍ରୋତ୍ରୀୟ ବ୍ରାହ୍ମଣମାନେ ମିଶି ସ୍ୱତନ୍ତ୍ର ଭାବେ ନିର୍ମିତ ଯଜ୍ଞଶାଳାରେ ଯଜ୍ଞ କରିଥିଲେ। ବନଜାଗର ଇଷ୍ଟ ଦେବତା ଆଦି ନୃସିଂହଙ୍କୁ ଆରାଧନା କରାଯାଇ ନୃସିଂହଙ୍କ ମନ୍ତ୍ରରେ ଯଜ୍ଞ ଆହୁତି ଦିଆଯାଇଥିଲା। ସ୍ବତନ୍ତ୍ର ମଣି ବିମାନରେ ମହାପ୍ରଭୁଙ୍କ ଚଳନ୍ତୀ ପ୍ରତୀମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ-କୃଷ୍ଣଙ୍କ ସହ ପଞ୍ଚ ମହାଦେବ ଶ୍ରୀଜମ୍ୱେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ୱର ଓ ନୀଳକଣ୍ଠେଶ୍ୱର ରଥଖଳାରେ ବିରାଜମାନ କରିଥିଲେ।

Leave A Reply

Your email address will not be published.