Jai Odisha
News

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ,ଦିନ ୧୨ଟା ସୁଦ୍ଧା ମିଳିବ ମହାପ୍ରସାଦ

ପୁରୀ,୨୩/୦୯: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ,  କାର୍ତ୍ତିକ ମାସରେ ଦିନ ୧୨ଟା ସୁଦ୍ଧା ଭକ୍ତଙ୍କୁ ମିଳିବ ମହାପ୍ରସାଦ। ଚଳିତ ବର୍ଷ କାର୍ତ୍ତିକ ମାସର ନୀତି ନିର୍ଘଣ୍ଟକୁ ଶ୍ରୀମନ୍ଦିର ଛତିଶା ନିଯୋଗ   ଅନୁମୋଦନ କରିଛି । ଚଳିତ ବର୍ଷ କାର୍ତ୍ତିକ ନୀତିର ସ୍ୱତନ୍ତ୍ରତା ରହିଛି । ଅକ୍ଟୋବର ୬ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଚଳିତ ବର୍ଷ କାର୍ତ୍ତିକ ନୀତି ପାଳନ ହେବ । କାର୍ତ୍ତିକ ବ୍ରତଧାରୀମାନେ ଶ୍ରୀମନ୍ଦିର ଅବକାଶ ନୀତି ପରେ ରାଧାଦାମୋଦର ଦର୍ଶନ କରିବେ। ପ୍ରଭୁଙ୍କ ବାଳଧୂପ ନୀତି ସକାଳ ଧୂପ ପରେ ସମ୍ପନ୍ନ କରାଯିବ । ଏବର୍ଷ କାର୍ତ୍ତିକରେ ପ୍ରଥମେ ସୂର୍ଯ୍ୟୋପରାଗ ଏବଂ ତାପରେ ଚନ୍ଦ୍ର ଗ୍ରହଣ ପଡୁଛି । ଏହି ଦୁଇ ଦିନ ପାଇଁ ଠାକୁରଙ୍କ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରିଛି ପ୍ରଶାସନ । ଏହି ଦୁଇ ଦିନ ଗ୍ରହଣ ସ୍ୱର୍ଶ ପରେ ନୀତି ସ୍ୱାଭାବିକ ହେବ। ଅକ୍ଟୋବର ୨୫ରେ ହେବାକୁ ଥିବା ସୂର୍ଯ୍ୟୋପରାଗ ଏବଂ ନଭେମ୍ବର ୮ରେ ପଡୁଥିବା ଚନ୍ଦ୍ରଗ୍ରହଣ ନେଇ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। କାର୍ତ୍ତିକ ମାସରେ ଭିଭିଆଇପି ଦର୍ଶନ ଉପରେ କଟକଣା ଲଗାଇ ନୀତିକୁ ଶୃଙ୍ଖଳିତ କରିବାକୁ ବୈଠକରେ ସେବାୟତ ନିଯୋଗ ପ୍ରତିନିଧିମାନେ ପ୍ରସ୍ତାବ ଦେଇଛନ୍ତି ।

ଅକ୍ଟୋବର ୬ରୁ ଶ୍ରୀମନ୍ଦିରରେ କାର୍ତ୍ତିକବ୍ରତ ଆରମ୍ଭ ହେବ। ତେଣୁ ଠାକୁରଙ୍କ ନୀତିକାନ୍ତି ଶୃଙ୍ଖଳିତ ଏବଂ ସମୟାନୁବର୍ତ୍ତୀ କରିବା ପାଇଁ ସ୍ଥିର କରାଯାଇଛି। ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ବାର ଏବଂ ପଶ୍ଚିମଦ୍ବାର ଦେଇ ପ୍ରବେଶ କରିବେ। ମହାପ୍ରଭୁଙ୍କୁ ଦର୍ଶନ ପରେ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିବେ। କାର୍ତ୍ତିକ ମାସରେ ଦିନ ୧୨ଟା ସୁଦ୍ଧା ଭକ୍ତଙ୍କୁ ମିଳିବ ମହାପ୍ରସାଦ। ଭୋର ୪ଟାରୁ ଖୋଲିବ ଶ୍ରୀମନ୍ଦିର ଦ୍ବାର। ସକାଳ ୫ଟାରେ ମଙ୍ଗଳ ଆଳତି ଏବଂ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ଠାକୁରଙ୍କୁ ରାଧା ଦାମୋଦର ବେଶ କରାଯିବ। ଦିନ ୧୦ଟାରୁ ୧୦ଟା ୩୦ ମଧ୍ୟରେ ବାଳଧୂପ କରାଯିବ। ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯିବ। ଅକ୍ଟୋବର ୩୧ରେ ଠାକୁରଙ୍କୁ ହରିହର ବେଶ, ନଭେମ୍ବର ୪ରେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ, ୫ରେ ବାମନ ବେଶ, ୬ରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୭ରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ନଭେମ୍ବର ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ରାଜାଧିରାଜ ବେଶ କରାଯିବ। ସେହିପରି ନଭେମ୍ବର ୪ରେ ହରିଉତ୍ଥାପନ ଏବଂ ୫ରେ ଗରୁଡ଼ ଉତ୍ଥାପନ ନୀତି ଅନୁଷ୍ଠିତ ହେବ। ଅକ୍ଟୋବର ୨୫ ମଙ୍ଗଳବାର ଅମାବାସ୍ୟା ତିଥିରେ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ନୀତି ପାଳନ କରାଯିବ।ନଭେମ୍ବର ୮ତାରିଖ ମଙ୍ଗଳବାର ପୂର୍ଣ୍ଣିମା ଦିନ ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଗୁରୁବାର ଏ ସମ୍ପର୍କରେ ଆଲୋଚନା କରାଯାଇଛି। ଜିଲାପାଳ ସମର୍ଥ ବର୍ମା ସେଥିରେ ଅଧ୍ୟକ୍ଷତା କରିଥିଲେ।  କାର୍ତ୍ତିକ ମାସରେ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଠାକୁରଙ୍କ ନୀତି ସଅଳ କରାଯିବ। ପଞ୍ଚୁକ ୫ଦିନ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି। ହବିଷ୍ୟାଳିମାନେ ମହାପ୍ରସାଦ ଉପରେ ନିର୍ଭର କରୁଥିବାରୁ ଦିନ ୧୨ଟା ସୁଦ୍ଧା ଯେପରି ଭୋଗମଣ୍ଡପ ନୀତି ଶେଷହେବ ସେ ସମ୍ପର୍କରେ ଆଲୋଚନା କରାଯାଇଛି। ଆରକ୍ଷୀ ଅଧୀକ୍ଷକ ଡ. କନୱର ବିଶାଲ ସିଂହ, ଶ୍ରୀମନ୍ଦିର ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ, ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା, ଛତିଶା ନିଯୋଗ ମହାନାୟକ ଜନାର୍ଦନ ପାଟ୍ଟଯୋଶୀ ମହାପାତ୍ର, ପରିଚାଳନା କମିଟି ସଭ୍ୟ ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ଅନନ୍ତ ତିଆଡ଼ି ଏବଂ ଜଗନ୍ନାଥ କରଙ୍କ ସମେତ ବିଭିନ୍ନ ସେବାୟତ ନିଯୋଗ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.