Jai Odisha
News

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ,କେନ୍ଦ୍ର ସଂଶୋଧିତ ପ୍ରସ୍ତାବକୁ ଏନ୍‌ଏମ୍‌ଏ ଅନୁମତି

ପୁରୀ,୨୧/୯: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିବାବେଳେ ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ ଏହି ପ୍ରକଳ୍ପ ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଥିବା ସୂଚନା ମିଳିଛି ।  ଶ୍ରୀମନ୍ଦିର ମେଘନାଦ ପ୍ରାଚୀରଠାରୁ ୧୦୦ମିଟର ପରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ପାଇଁ ଅନୁମତି ଦେଇଛି ଜାତୀୟ ଐତିହ୍ୟ ପ୍ରାଧିକରଣ। ଶ୍ରୀମନ୍ଦିର ଐତିହ୍ୟ କରିଡର ତଥା ପରିକ୍ରମା ମାର୍ଗ ପ୍ରକଳ୍ପରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ପ୍ରସ୍ତାବ ରହିଛି। ଏମାର ମଠ ନିକଟରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ପାଇଁ ଟାଟା ପ୍ରକଳ୍ପ ପକ୍ଷରୁ ଗାତ ଖୋଳା ଯାଇଥିଲା। ଏହି ସ୍ଥାନ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଆସୁଥିବାରୁ ବିବାଦ ମୁଣ୍ଡ ଟେକିଥିଲା। ନିଷିଦ୍ଧାଞ୍ଚଳ ବାହାରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ପାଇଁ ଐତିହ୍ୟ ପ୍ରାଧିକରଣ ସମେତ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦେଶକ ପରାମର୍ଶ ଦେଇଥିଲେ। ପୂର୍ବରୁ ଏନଏମଏର ଏନଓସି ଅନୁଯାୟୀ, ନିଷିଦ୍ଧାଞ୍ଚଳରେ ମହିଳା, ପୁରୁଷ ଓ ସେବାୟତଙ୍କ ପାଇଁ ଶୌଚାଳୟ ନିର୍ମାଣ, କ୍ଲକ୍ ରୁମ୍, ମିନି କ୍ଲକ୍ ରୁମ୍, ସେଲ୍ଟର ପ୍ୟାଭିଲିୟନ ଓ ଇଲେକଟ୍ରିକାଲ ରୁମ୍ ନିର୍ମାଣ କରାଯାଇପାରିବ । ସେହିପରି ପାଦଚଲା ଅଞ୍ଚଳ ନିର୍ମାଣକୁ ମଧ୍ୟ ଏନଏମଏ ଅନୁମତି ପ୍ରଦାନ କରିଛି । ତେବେ ସେଲ୍ଟର ପ୍ୟାଭିଲିୟନର ଉଚ୍ଚତା କମ୍ କରିବାକୁ ପରାମର୍ଶ ଦିଆଯାଇଛି ।ସେହିପରି ଏହାକୁ ଶ୍ରୀମନ୍ଦିର ଠାରୁ ୧୦୧.୫୦ ମିଟର ଦୂରରେ ରଖିବାକୁ ପରାମର୍ଶ ଦିଆଯାଇଛି । ଏସବୁ କାମ ପାଇଁ ଆଉ ଥରେ ଏନଓସି ନିମନ୍ତେ ଆବେଦନ କରିବାକୁ ପଡ଼ିବ । ତେବେ ବଡ଼ଛତା ମଠ ଓ ଛାଉଣୀ ମଠରେ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ସେହିପରି ଇନଫର୍ମେସନ, ଡୋନେସନ ସେଲ୍, ଫାଷ୍ଟଏଡ୍ ସେଣ୍ଟରଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣକୁ ଦୃଷ୍ଟିରେ ରଖି ଏଗୁଡ଼ିକୁ ରେଗୁଲେଟେଡ୍ ଅଞ୍ଚଳରେ କରାଯିବା ପାଇଁ ପରାମର୍ଶ ଦିଆଯାଇଛି ।ଶ୍ରୀମନ୍ଦିର ପ୍ରକଳ୍ପ କମିଟି ଅଧ୍ୟକ୍ଷ ତଥା ଗଜପତି ମହାରାଜ ଶ୍ରୀଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷିଦ୍ଧାଞ୍ଚଳ ବାହାରେ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ ପାଇଁ ସ୍ଥିର କରାଯାଇଥିଲା। ବୈଠକର ନିଷ୍ପତ୍ତି ଆଧାରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଛିଦିନ ତଳେ ଜାତୀୟ ଐତିହ୍ୟ ପ୍ରାଧିକରଣ ନିକଟରେ ଏଥିପାଇଁ ଦରଖାସ୍ତ କରିଥିଲେ। ଐତିହ୍ୟ ପ୍ରାଧିକରଣ ପକ୍ଷରୁ ଆପତ୍ତି ବିହୀନ ପ୍ରମାଣପତ୍ର ମଞ୍ଜୁର କରାଯାଇଥିବା ସୂଚନା ମିଳିଛି।କେନ୍ଦ୍ର ନିର୍ମାଣ ପାଇଁ ଐତିହ୍ୟ ପ୍ରାଧିକରଣ ଏହାପୂର୍ବରୁ ସବୁଜ ସଙ୍କେତ ଦେଇଥିଲା। ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ ଆପତ୍ତି ବିହୀନ ପ୍ରମାଣପତ୍ର ଦେଇଥିବାରୁ ଏଣିକି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଅଧିକ ତ୍ବରାନ୍ବିତ ହେବ ବୋଲି ଜିଲାପାଳ ସମର୍ଥ ବର୍ମା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.