Jai Odisha
News

ସଂକୀର୍ତ୍ତନରେ କମ୍ପିବ ପୁରା ଖଣ୍ଡଗିରି ଅଞ୍ଚଳ : ଆଜିଠୁ ଆରମ୍ଭ ହୋଉଛି ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା

ଆଜିଠୁ ଆରମ୍ଭ ହୋଉଛି ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା । ନାମ, ସଂକୀର୍ତ୍ତନରେ କମ୍ପିବ ପୁରା ଖଣ୍ଡଗିରି ଅଞ୍ଚଳ । ପାହାଡର ପାଦଦେଶରୁ ଉପର ଯାଏଁ ପରିମଳ, ସଫେଇ, ସୌର୍ନ୍ଦ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ସାଧୁସନ୍ଥଙ୍କ ଆଗମନ ସହ ତପୋଭୂମି ଖଣ୍ଡଗିରିରେ ଜନସମାଗମ ଦେଖିବାକୁ ମିଳିଛି । ସାଧୁମୟ ହୋଇଛି ଖଣ୍ଡିଗିରି, ନାଗା, ବୈଷ୍ଣବ, ଗୌଡୀୟ ବାବାମାନଙ୍କ ସମାଗମ ହୋଇଛି । ଆଲୋକିକରଣ ସାଙ୍ଗକୁ ସୌର୍ନ୍ଦ୍ୟକରଣ ନେଇ ସମସ୍ତ ପ୍ରସ୍ତୁତି କରିଛି ବିଏମସି । ବାବାଙ୍କ ଆଖଡାରୁ ଦେବସଭା ସବୁଠି ଚଳଚଞ୍ଚଳ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ସାଧୁ ସନ୍ଥ ରାଜଧାନୀରେ ପହଂଚି ସାରିଛନ୍ତି । ୯ ଦିନ ଧରି ସାଧୁସନ୍ତଙ୍କ ମନ୍ତ୍ରୋଚାରଣ ସାଙ୍ଗକୁ ପୂଜାପାଠରେ ମୁଖରିତ ହେବ ଖଣ୍ଡଗିରି ପାଦଦେଶ । ଚଳିତ ବର୍ଷ କିଭଳି ସୁରୁଖୁରରେ ମେଳା ହୋଇପାରିବ ସେନେଇ ବିଭିନ୍ନ ଦିଗରେ ଆଲୋଚନା ହୋଇଥିବା ବେଳେ ପୂର୍ବ ବର୍ଷ ଅପେକ୍ଷା ଏଥର ଆହୁରି ସୁନ୍ଦର କରିବାକୁ ଯୋଜନା କରାଯାଉଥିବା କହିଛି ବିଏମସି କମିଶନର । ସାଧୁ ସନ୍ଥ ମାନଙ୍କ ମୌଳିକ ଆବଶ୍ୟକତାକୁ ନେଇ ଅସ୍ଥାୟୀ ସ୍ନାନଗାର, ଅସ୍ଥାୟୀ ଶୌଚାଳୟ ,ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ସୂଚନା କେନ୍ଦ୍ର, ଆମ୍ବୁଲାନ୍ସ ସେବା, ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ଗୁରୁତ୍ଵ ଦିଆଯାଇଥିବା କହିଛି ବିଏମସି । ଏହା ବାଦ୍ ପାର୍କିଂ ବ୍ୟବସ୍ଥା, ମୀନା ବଜାର, ମେଳାକୁ କିଭଳି ନୂଆ ବ୍ୟବସାୟୀ ମାନେ ଅଧିକ ଆସି ସାମିଲ ହେବେ ସେନେଇ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର । ସମ୍ପୂର୍ଣ ମେଳା ପରିଚାଳନାକୁ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ ବୋଲି କହିଛନ୍ତି ମେୟର । ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ମେଳା କମିଟିର ସଦସ୍ୟ ଓ ସ୍ଥାନୀୟ କର୍ପୋରେଟର ମାନେ ସାମିଲ ଥିଲେ । ଖଣ୍ଡଗିରି ମେଳା ପଡିଆ ଯେଉଁମାନେ ଜବରଦଖଲ କରି ରହିଛନ୍ତି ସେମାନଙ୍କ ବିରୋଧରେ ଆକ୍ସନ ନିଆଯାଉଛି । ଯଦି କେଉଁଠି ତ୍ରୁଟି ପରିଲକ୍ଷିତ ହେଉଛି ବିଏମସିକୁ ଜଣାନ୍ତୁ ବୋଲି ଅନୁରୋଧ କରିଛି ବିଏମସି । ଯେଉଁ ବ୍ୟବସାୟୀମାନେ ଆସୁଛନ୍ତି ସେମାନଙ୍କ ପାଇଁ ସମାନ ମାପରେ ଷ୍ଟଲ୍ ରହିବ । ସଂପୂର୍ଣ୍ଣ ପ୍ଲାଷ୍ଟିକ ବର୍ଜନ ପାଇଁ ପଦକ୍ଷେପ ନିଆଯିବ ।

Leave A Reply

Your email address will not be published.