Jai Odisha
News

ସମ୍ଭାବ୍ୟ ବାତ୍ୟା ‘ମୋଚା’ , ଆସନ୍ତାକାଲି ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର,୫ା୫:ଦକ୍ଷିଣ-ପୂର୍ବ କିମ୍ବା କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ବାତ୍ୟା ଭୀଷଣ (ସିଭିୟର) ରୂପ ନେବ। ଆସନ୍ତାକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ୭ରେ ଲଘୁଚାପ ଓ ୮ ତାରିଖରେ ଅବପାତର ରୂପ ନେବ । କ୍ରମେ ଏହା ଉତ୍ତର ଦିଗକୁ ଗତି କରିବାର ସମ୍ଭାବନା ରହିଛି ।ଆସନ୍ତା ୯ ତାରିଖରେ ଆସୁଥିବା ବାତ୍ୟା ‘ମୋଚା’କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ପର୍ବ ଜୋରଦାର ହୋଇଛି । ଭାରତୀୟ ପାଣିପାଗ ବିଭାଗ ଓ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ଓ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ବାତ୍ୟା ସମୟରେ ଜିରୋ କାଜୁଆଲିଟି ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେପରି ଜଣେ ଲୋକର ଜୀବନହାନୀ ନ ଘଟେ ସେଥିପାଇଁ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି ।ସେହିପରି ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ କରି ରଖିବା ପାଇଁ ମଧ୍ୟ ଏସଆରସିଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଏନଡିଆରଏଫ୍ ଓ ଓଡ୍ରାଫ୍ ଟିମକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୬ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହାର ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ୮ ତାରିଖରେ ଅବପାତ ରୂପ ନେବା ସମ୍ଭାବନା ରହିଛି । ସେହିପରି ୯ରେ ବାତ୍ୟା ହେବ ବୋଲି ଆକଳନ କରାଯାଇଛି । ତେବେ ଏହାର ଗତିପଥ ଓ ତୀବ୍ରତା କେତେ ରହିବ ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ । ଓଡ଼ିଶା ଉପରେ ବର୍ତ୍ତମାନ ପାଇଁ ଏହାର କୌଣସି ପ୍ରଭାବ ନଥିବା ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଯାହା କିଛି ଆକଳନ କରିବା ସମ୍ଭବ ହେବ ବୋଲି ସେ କହିଛନ୍ତି । ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ କହିଛନ୍ତି ୯ତାରିଖ ବେଳକୁ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ । କ୍ରମଶଃ ଏହା ଅତି ଭୀଷଣ ବାତ୍ୟା ପର୍ଯ୍ୟନ୍ତ ଯାଇପାରେ ବୋଲି ଆକଳନ କରାଯାଉଛି । ଅନ୍ୟପଟେ ଏହି ବାତ୍ୟାର ଗତି କେମିତି ରହିବ ସେନେଇ ବିଭିନ୍ନ ମଡେଲ ପକ୍ଷରୁ ଭିନ୍ନ ଭିନ୍ନ ଆକଳନ କରାଯାଇଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ବାତ୍ୟାର ଗତିପଥ ନେଇ କୌଣସି ସୂଚନା ଦେଇନି। କେନ୍ଦ୍ରୀୟ ବଙ୍ଗୋପସାଗର ଦେଇ ସମ୍ଭାବ୍ୟ ବାତ୍ୟା ମିଆଁମାର ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବା ନେଇ ବିଭିନ୍ନ ମଡେଲ ଆକଳନ କରିଛନ୍ତି । ବାତ୍ୟା ଆଲର୍ଟ ପରେ ଉପକୂଳିଆ ଜିଲ୍ଲାଗୁଡିକୁ ସତର୍କ କରାଯାଇଛି। 18ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ପ୍ରବଣ ଜିଲ୍ଲାଗୁଡ଼ିକରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।  ସ୍ଥାନାନ୍ତର ପାଇଁ ଯୋଜନା ଓ ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି।   ଅଗ୍ନୀଶମ ବାହିନୀ, ବିଦ୍ୟୁତବିଭାଗ ଏବଂ ଓଡ୍ରାଫ ଟିମକୁ ସଜାଗ କରାଯାଇଛି। ଶୂନ୍ୟ ଜୀବନହାନୀ ଉପରେ ଗୁରୁତ୍ବ ଦିଆଯାଇଛି।  ଖରାଦିନିଆ ବାତ୍ୟାର ଟ୍ରାକ୍ ରେକର୍ଡକୁ ଦେଖିଲେ ୨୦୧୯ ମସିହା ମେ’ ୩ରେ ବାତ୍ୟା ‘ଫନି’ ପୁରୀ ନିକଟରେ ଲ୍ୟାଣ୍ଡ୍‌ଫଲ୍‌ କରିଥିଲା। ଏହାଦ୍ବାରା ଓଡ଼ିଶା ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବାତ୍ୟା ସୃଷ୍ଟି ହେବା ପରେ ଏହାର ନାମ ମୋଚା ରହିବ। ତେବେ ମୋଚା କେଉଁଠାରେ ଲ୍ୟାଣ୍ଡଫଲ୍ କରିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଆସିନି। ଏହା ସ୍ଥଳଭାଗ ଆଡ଼କୁ ମାଡ଼ି ଆସିବ। ଏହି ବାତ୍ୟା ଭୀଷଣ ହେବା ନେଇ ସମସ୍ତ ମଡେଲ ଗୁଡ଼ିକ ପକ୍ଷରୁ ଆକଳନ କରାଯାଇଛି। ମାତ୍ର ବାତ୍ୟାର ଗତିପଥକୁ ନେଇ ମଡେଲ ଗୁଡ଼ିକ ମଧ୍ୟରେ ଭିନ୍ନତା ପ୍ରକାଶ ପାଉଛି। କେଉଁ ମଡେଲର ଆକଳନ ବାତ୍ୟା ବାଂଲାଦେଶ ଓ ମିଆଁମାର ଉପକୂଳ ଆଡକୁ ମୁହାଁଇବ ତ ଆଉ କେଉଁ ମଡେଲ ଅନୁଯାୟୀ ଏହା ଦିଗ ପରିବର୍ତ୍ତନ କରିବା ଦ୍ବାରା ତାମିଲନାଡୁ ଉପକୂଳ ଆଡ଼କୁ ମୁହାଁଇପାରେ। ବାତ୍ୟା ଗତିପଥ, ତୀବ୍ରତା ଏବଂ ପବନର ବେଗ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟତା ରଖାଯାଇ ନାହିଁ।ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମଡି, ଜିଏଫଏସ, ଏନସିୟୁଏମ, ଇସିଏମଡବ୍ଲ୍ୟୁଏଫ, ଇସିଏମଏମ, ଏନଇପିଏସ ଏବଂ ଜିଇଏଫଏସ ସମେତ ବିଭିନ୍ନ ମଡେଲ ଆକଳନ କରିଛନ୍ତି। ପ୍ରଥମ ସପ୍ତାହର ମଧ୍ୟଭାଗ ଅର୍ଥାତ ମେ ୮ତାରିଖ ପାଖାପାଖି ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ଏକ ବାତ୍ୟା ସୃଷ୍ଟିର ସୂଚନା ଦିଆଯାଇଛି।  ତଥାପି ଏନସିୟୁଏମ ଗ୍ରୁପର ମଡେଲ ସମ୍ଭାବ୍ୟ ବାତ୍ୟା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଥିବାରୁ ତାମିଲନାଡୁ ଉପକୂଳ ମୁହଁା ହୋଇପାରେ।   ସମ୍ଭାବ୍ୟ ବାତ୍ୟା ପ୍ରଥମେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାକୁ ଥିବାବେଳେ ପରେ ଦିଗ ପରିବର୍ତ୍ତନ କରିବା ଦ୍ବାରା ଉତ୍ତର-ପୂର୍ବ ଆଡକୁ ମୁହଁାଇ ବାଂଲାଦେଶ ଓ ମିଆଁମାର ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି।

Leave A Reply

Your email address will not be published.