Jai Odisha
News

ସରିଲା ସର୍ବଦଳୀୟ ବୈଠକ:ଦୈନିକ ୬ ଘଣ୍ଟା ଚାଲିବ ବିଧାନସଭା

ଭୁବନେଶ୍ୱର,୨୯।୬ : ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଶେଷ ହୋଇଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ଗୃହକୁ କିପରି ସୁରୁଖୁରୁରେ ଚଳାଯାଇପାରିବ ସେ ନେଇ ଆଲୋଚନା ହୋଇଛି ।  ସେ କହିଛନ୍ତି ଯେ, ବିଧାନସଭା ସୁରୁଖୁରୁରେ ଚଳାଇବା ନେଇ ସହମତି ପ୍ରକାଶ ପାଇଛି । କୋଭିଡ କଟକଣା ଭିତରେ ୨ଟି ପର୍ଯ୍ୟାୟରେ ଚାଲିବ ଗୃହ କାର୍ଯ୍ୟ । ପ୍ରଥମ ପର୍ଯ୍ୟାୟ ୧୦ଟା ୩୦ରୁ ୧ ଟା ଓ ଦ୍ବିତୀୟ ପର୍ଯ୍ୟାୟ ୪ଟାରୁ ୭ଟା ଯାଏ ଚାଲିବ ଗୃହ କାର୍ଯ୍ୟ ।  ଦିନକୁ ବିଧାନସଭା ୬ଘଣ୍ଟା ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଦୁଇଟି ପର୍ଯ୍ୟାୟରେ ଗୃହ ଚାଲିବା ନେଇ ସ୍ଥିର ହୋଇଥିବା ବେଳେ ପ୍ରଥମ ପ୍ରର୍ଯ୍ୟାୟ ସାଢ଼େ ୧୦ଟାରୁ ଆରମ୍ଭ ହୋଇ ଗୋଟାଏ ଯାଏ ଚାଲିବ ଓ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ଣ ୪ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ପରିବର୍ତ୍ତେ ୭ଟା ଯାଏ ଚାଲିବ ବୋଲି କୁହାଯାଇଛି । ଆଗରୁ ଗୃହ ୫ ଘଣ୍ଟା ଧରି ଚାଲୁଥିଲା । ଆସନ୍ତା ବିଧାନସଭା ଅଧିବେଶନ ଜୁଲାଇ ୨ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ମୋଟ୍‌ ୨୪ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି । ପରେ ପରେ ଅନ୍ୟ ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା କରାଯିବ । ଜୁଲାଇ ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍‌ ଆଗତ କରାଯିବ । ଆଜି ବସିଥିବା ଏହି ସର୍ବଦଳୀୟ ବୈଠକରେ ବିଜେଡି ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସରକାରୀ ଦଳ ମୁଖ୍ୟ ସଚେତକ, ବିରୋଧୀ ଦଳ ମୁଖ୍ୟ ସଚେତକ, ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ଓ କଂଗ୍ରେସର ବିଧାୟକ ଦଳ ନେତା ପ୍ରମୁଖ ଉପସ୍ଥିତ ଥିଲେ । ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ ମାନଙ୍କ ରୋନା ଟେଷ୍ଟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ୩ ଦିନ ଯାଏ ବିଧାୟକ ମାନଙ୍କ କରୋନା ଟେଷ୍ଟ ହେବ । ବିଧାୟକଙ୍କ ସହ  ବିଧାନସଭାର କର୍ମଚାରୀ, ସୁରକ୍ଷାକର୍ମୀ, ସାମ୍ବାଦିକଙ୍କର କରୋନା ଟେଷ୍ଟ କରାଯାଉଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ, ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ।

Leave A Reply

Your email address will not be published.