Jai Odisha
News

ସହିଦ୍ ଦିବସରେ ମନେ ପଡ଼ିଲେ ମହାତ୍ମା ଗାନ୍ଧୀଙ୍କ ସହ ରଘୁ ନାୟକ

ରାଜକନିକା,୩୦ା୧: ସାରା ରାଜ୍ୟରେ ପାଳିତ ହୋଇଛି ସହିଦ୍ ଦିବସ । ଜାତିରପିତା ମହାତ୍ମା ଗାନ୍ଧୀଙ୍କ ବଳିଦାନକୁ ପୂରିଲା ୭୪ ବର୍ଷ । କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‌ର ଜାଗୁଳାଇପଡ଼ାରେ ରହିଥିବା ଗାନ୍ଧୀ ଏବଂ ଗାନ୍ଧୀ ସେବକ ରଘୁ ନାୟକଙ୍କ ମିଳିତ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ଫମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଛନ୍ତି । ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ସାହୁ ଅତିଥି ଭାବେ ଯୋଗଦେଇ ଦୁଇ ମହାନ ପୁରୁଷଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହା ସହିତ ରଘୁନାଥଙ୍କ ବୀରତ୍ୱ ଆଜିର ସମୟ ପାଇଁ ଆମ ସମସ୍ତଙ୍କ ପାଇଁ ଗର୍ବ ଆଉ ଗୌରବ । ରଘୁଙ୍କ ଜୀବନ କାହାଣୀ ଆଗାମୀ ପିଢ଼ି ପାଇଁ ପ୍ରେରଣା ଯୋଗାଇବ ବୋଲି ଶ୍ରୀସାହୁ ମତବ୍ୟକ୍ତ କରିଥିଲେ । ଜାଏମାଳବ ନୋଡ଼ାଲ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ଏବଂ ସ୍କୃତି କମିଟି ପକ୍ଷରୁ ଗାନ୍ଧିଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜା ରାମକୁ ଗାନକରିବା ସହିତ ଧୂପ, ଦୀପ ଏବଂ ଚନ୍ଦନ ଦେଇ ଦୁଇ ମହାନ ପୁରୁଷଙ୍କୁ ସ୍ମରଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଗାନ୍ଧୀ-ରଘୁ ସ୍ମୃତି କମିଟୀର ସଂପାଦକ ଶୁଭ୍ରାଂଶୁ ସୂତାର, ଜାଏମାଳବ ନୋଡ଼ାଲ ବିଦ୍ୟାଳୟର ପ୍ରଧାନଶିକ୍ଷକ କ୍ଷୀରୋଦ କୁମାର ସାହୁ, ସାମ୍ବାଦିକ ପ୍ରବୀଣ ବଳ,କମଳାକାନ୍ତ ଗିରି,ସଂଗଠକ ଦିବ୍ୟଜ୍ୟୋତି ଜେନା, ଶିକ୍ଷୟତ୍ରୀ ସ୍ନିଗ୍ଧାମୟୀ ନାୟକ, ଦୀପାରାଣୀ ସେଠୀ ଏବଂ ନିର୍ମଳା କୁମାରୀ ନାୟକ ପ୍ରମୁଖ ଯୋଗଦେଇ ଗାନ୍ଧୀ ଏବଂ ରଘୁଙ୍କ ଜୀବନାଦର୍ଶ ସଂପର୍କରେ ଆଲୋକପାତ୍ କରିଥିଲେ । ଏହା ସହିତ ଗାନ୍ଧୀହତ୍ୟାର ଏକମାତ୍ର ସାକ୍ଷୀ ରଘୁଙ୍କ ବୀରତ୍ୱ କାହାଣୀକୁ ମନେପକାଇଥିଲେ । ପ୍ରକାଶଥାଉକି ଆତତାୟୀ ନାଥୁରାମର ବନ୍ଧୁକ ଗୁଳିରେ ଟଳିପଡ଼ିଥିଲେ ଗାନ୍ଧୀ । ଆଉ ସେହି ସମୟରେ ବିରଳାଭବନର ମାଳି ଓଡ଼ିଆ ପୁଅ ରଘୁ ନାୟକ ବୀରତ୍ୱର ସହିତ ନାଥୁରାମଙ୍କୁ କାବୁ କରି ପୁଲିସର ଜିମା ଦେଇଥିଲେ । ଗାନ୍ଧିଜୀଙ୍କୁ ତତ୍କାଳ କୋଳକୁ ଟେକିନେଇଥିଲେ, ରଘୁ । ଗାନ୍ଧୀ ସେବକ ରଘୁ ନାୟକଙ୍କ କୋଳରେ ମଥା ରଖି ‘ହେ-ରାମ’କହି ଏ ଜାତିର ଚିର ନମସ୍ୟ ମହାତ୍ମା ଗାନ୍ଧୀ ତ୍ୟାଗ କରିଥିଲେ ଶେଷ ନିଃଶ୍ୱାସ । ରଘୁଙ୍କ ବୀରତ୍ୱ ଓ ସାହାସିକତା ପାଇଁ ତତ୍କାଳୀନ ରାଷ୍ଟ୍ରପତି ଡ଼ଃ ରାଜେନ୍ଦ୍ର ପ୍ରସାଦଙ୍କ ଠାରୁ ମିଳିଥିଲା ୫୦୦ଟଙ୍କାର ପୁରସ୍କାର ସହିତ ଏକ ସନନ୍ଦପତ୍ର । ଏହା ଭିତରେ ବିତିଯାଇଥିଲା ଅନେକ ବର୍ଷ । ସେ ବିରଳା ଭବନର ମାଳି ଥିଲେ । ହେଲେ ରଘୁ ନାଥଙ୍କୁ ଜୀବିତ ଅବସ୍ଥାରେ ଓଡ଼ିଆ ଜାତି ଦେଇପାରିଲାନି ସମ୍ମାନ । ଆର୍ଥିକ ଅନଟନ ମଧ୍ୟରେ ୧୩ ଅଗଷ୍ଟ ୧୯୮୩ ମସିହାରେ ୭୨ ବର୍ଷ ବୟସରେ ରୋଗଶର୍ଯ୍ୟାରେ ପଡ଼ି ପଡ଼ି ତାଙ୍କର ମୃତ୍ୟୁହୋଇଥିଲା । ୨୦୦୫ ମସିହାରେ ଏକ ଖବର କାଗଜରେ ଅବହେଳିତ ରଘୁଙ୍କ ସଂପର୍କରେ ପାଠ କରି ଜର୍ମାନୀର ଏକ ଅଟୋମୋବାଇଲ କମ୍ପାନୀ ଡ଼ାମଲରଖ୍ରୀସଲରର ମୁଖ୍ୟ ବର୍ଣ୍ଣ ଆଡ୍‍ଲର ରଘୁଙ୍କ ଜନ୍ମସ୍ଥାନ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‍ର ଜାଗୁଳାଇପଡ଼ା ଗ୍ରାମରେ ପହଞ୍ଚିଥିଲେ । ବିଦେଶୀ ଗାନ୍ଧୀପ୍ରେମୀ ଜାଗୁଳାଇପଡ଼ା ଗ୍ରାମରେ ଗାନ୍ଧୀ-ରଘୁଙ୍କ ମିଳିତ ପ୍ରତିମୂର୍ତ୍ତ ପ୍ରତିଷ୍ଠା କରିଥିଲେ । ସେହିଦିନ ଠାରୁ ଗାନ୍ଧୀ ଏବଂ ରଘୁଙ୍କ ମିଳିତ ପ୍ରତିମୂର୍ତ୍ତିରେ ପୂଜା ପାଉଛନ୍ତି ।

Leave A Reply

Your email address will not be published.