Jai Odisha
News

ସହୀଦ ଲାନ୍ସନାୟକ ଦେବାଶିଷ ବିଶ୍ୱାଳଙ୍କୁ ଗାର୍ଡ ଅଫ ଅନର

ଭୁବନେଶ୍ୱର,୨୨।୪: ଓଡିଶା ମାଟିରେ ପହଞ୍ଚିଛି ସହୀଦ ଦେବାଶିଷ ବିଶ୍ୱାଳଙ୍କର ପାର୍ଥିବ ଶରୀର । ଭୁବନେଶ୍ୱର ବିମାନବନ୍ଦରରେ ବୀର ଯବାନଙ୍କୁ ଦିଆଯାଇଛି ମହା ସମ୍ମାନ । ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ୍ ସେଠାରେ ପହଞ୍ଚି ଓଡିଆ ମାଟିର ଗୌରବ ସହୀଦ ଦେବାଶିଷଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରିଛନ୍ତି । ପୁଷ୍ପମାଲ୍ୟ ପ୍ରଦାନ ସହ ଭାରତର ବୀର ସୁପୁତ୍ରଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଜ୍ୟପାଳ ।ଜାମ୍ମୁକାଶ୍ମୀର ପୁଞ୍ଝରେ ସହିଦ ଓଡ଼ିଆ ପୁଅ ଦେବାଶିଷଙ୍କ ପାର୍ଥିବ ଶରୀର ଜନ୍ମମାଟି ଅଭିମୁଖେ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିରେ ଦେବାଶିଷଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରେ ରାଷ୍ଟ୍ରୀୟ ମଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ । ସକାଳ ୭ଟା ୧୫ରେ ଭୁବନେଶ୍ବରର ବିମାନ ବନ୍ଦରରେ ପହଞ୍ଚିଥିଲା ସହିଦଙ୍କ ପାର୍ଥିବ ଶରୀର । ଏହାପରେ ସହିଦ ଦେବାଶିଷଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଏହାପରେ  ବିଭିନ୍ନ ସେନା ଅଧିକାରୀଙ୍କ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଗୃହରାଷ୍ଟ୍ରମନ୍ତ୍ରୀଙ୍କ ସହ ବିଜେପି ସଭାପତି ମନମୋହନ ସାମଲ ଏବଂ ବିଜେପି ନେତା ସମ୍ବିତ ପାତ୍ର ସହିଦଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାସୁମନ ଅପର୍ଣ କରିଥିଲେ । ଏହାପରେ ଜନ୍ମମାଟି ଅଭିମୁଖେ ଯାଉଛି ମରଶରୀର । ସହିଦ ଦେବାଶିଷଙ୍କୁ ହରାଇବା ପରେ ଝୁରୁଛି ଗାଁ ଝୁରୁଛନ୍ତି ପରିବାର । ଜାମ୍ମୁ ଓ କାଶ୍ମୀରର ପୁଞ୍ଝରେ ଆତଙ୍କୀଙ୍କ ଗ୍ରେନେଡ୍ ମାଡ଼ରେ ସହିଦ ୫ ଯବାନଙ୍କ ମଧ୍ୟରେ ଥିଲେ ଦେବାଶିଷ ।

Leave A Reply

Your email address will not be published.