Jai Odisha
News

‘ସିଆଇଏ’ର ଡ୍ରୋନ୍ ଷ୍ଟ୍ରାଇକ୍‌ରେ ଅଲକାଏଦା ମୁଖ୍ୟ ଅଲ ଜୱାହିରୀ ନିପାତ

ନୂଆଦିଲ୍ଲୀ, ୦୨/୦୮ : ଆତଙ୍କବାଦୀ ସଙ୍ଗଠନ ଅଲ୍ କାଏଦାର ମୁଖ୍ୟ ନିହତ। ରବିବାର କାବୁଲ୍‌ରେ ଆମେରିକା ଡ୍ରୋନ୍ ଆକ୍ରମଣରେ ଅଲ୍ କାଏଦା ମୁଖ୍ୟ ଅଲ୍ ଜୱାହିରି ନିହତ ହୋଇଛି। ଏନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ସମ୍ପୂର୍ଣ୍ଣ ନ୍ୟାୟ ମିଳିଛି। ୯/୧୧ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲା ଜୱାହିରି। ଏହି ଆକ୍ରମଣରେ ୨୯୭୭ ଲୋକଙ୍କର ମୃତ୍ୟୁ ହୋଇଥିଲା। ଦଶକ ଧରି ଆମେରିକୀୟଙ୍କ ଉପରେ ହେଉଥିବା ଆତଙ୍କୀ ଆକ୍ରମଣର ସେ ଥିଲା ମାଷ୍ଟରମାଇଣ୍ଡ।  ଆତଙ୍କବାଦୀ ମୁଖ୍ୟ ଅୟମାନ ଅଲ-ଜୱାହିରୀକୁ ଆମେରିକାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (ସିଆଇଏ) ଆଫଗାନିସ୍ତାନରେ ଡ୍ରୋନ୍ ଆକ୍ରମଣରେ ନିପାତ କରିଛି । ଆମେରିକୀୟ ଅଧିକାରୀମାନେ ସୋମବାର ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି ଯେ, ୨୦୧୧ରେ ଏହାର ପ୍ରତିଷ୍ଠାତା ଓସାମା ବିନ୍ ଲାଦେନ୍‌କୁ ନିହତ କରାଯିବା ପରେ ଆତଙ୍କବାଦୀ ସମୂହକୁ ବଡ଼ ଝଟକା ଲାଗିଛି । ମିଶରର ଡାକ୍ତର ଓ ସର୍ଜନ ଜୱାହିରୀ ଆମେରିକାରେ ୨୦୦୧ ସେପ୍ଟେମ୍ବର ୧୧ ତାରିଖରେ ଆକ୍ରମଣରେ ୪ ବିମାନକୁ ହାଇଜାକ କରିବାରେ ସହଯୋଗ କରିଥିଲା । ଏଥିରେ ୨ଟି ବିମାନ ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି)ର ଉଭୟ ଟାୱାରରେ ଧକ୍କା ହୋଇଥିଲା । ତୃତୀୟ ବିମାନ ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଅର୍ଥାତ ପେଣ୍ଟାଗନ ସହିତ ମାଡ଼ ହୋଇଥିଲା । ୪ର୍ଥ ବିମାନ ଶେକଭିଲେରେ ଏକ ଜମିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଘଟଣାରେ ମୋଟ ୩୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ଆମେରିକୀୟ ଅଧିକାରୀମାନଙ୍କ ମଧ୍ୟରେ ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖି କହିଛନ୍ତି ଯେ, ରବିବାର ଆଫଗାନିସ୍ତାନର ରାଜଧାନୀ କାବୁଲରେ ସିଆଇଏ ଏକ ଡ୍ରୋନ୍ ଆକ୍ରମଣ କରିଥିଲା । ପ୍ରଶାସନର ଜଣେ ବିରଷ୍ଠ ଅଧିକାରୀ କହିଛନ୍ତି ଯେ, ସଂଯୁକ୍ତ ରାଷ୍ଟ୍ର ଆମେରିକା ଆଫଗାନିସ୍ତାନରେ ଅଲକାଏଦା  ବିରୋଧରେ ଆତଙ୍କବାଦୀ ବିରୋଧୀ ଅଭିଯାନ ଚଳାଇଛି । ଏହି ଅପରେଶନ ପୂର ସଫଳ ହୋଇଛି ଏବଂ ଅନ୍ୟ କୌଣସି ନାଗରିକଙ୍କର କ୍ଷତି ହୋଇନାହିଁ । ଜୱାହିରୀ ମୃତ୍ୟୁ ହେବା ପରେ ଏବେ ପ୍ରଶ୍ନ ଉଠୁଛି ଯେ, ୨୦୨୧ରେ କାବୁଲ ଉପରେ ଅକ୍ତିଆର କରିବା ପରେ ତାଲିବାନ ଆତଙ୍କବାଦୀ ମୁଖ୍ୟକୁ ଶରଣ ଦେଇଥିଲା ବୋଲି ପ୍ରଶ୍ନ ଛିଡ଼ା ହେଉଛି । ଏହା ପୂର୍ବରୁ ଆଫଗାନିସ୍ତାନରେ ଗତ ୨୦ ବର୍ଷ ପର୍ଯ୍ୟନ୍ତ ଆମେରିକୀୟ ସେନା ମୁତୟନ ଥିଲେ । ଅନ୍ୟପଟରେ ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକ ବୟାନରେ ଆକ୍ରମଣ ନେଇ ସ୍ପଷ୍ଟ କରିଛନ୍ତି ଓ ଏହାର ତୀବ୍ର ନିନ୍ଦା କରିଛନ୍ତି ।

Leave A Reply

Your email address will not be published.