Jai Odisha
News

ସିସିଟିଭି କ୍ୟାମେରାରେ ଭିତରକନିକା

ରାଜନଗର,୧୩/୧୧:  ଭିତରକନିକାରେ ରହି ଆସୁଥିବା ପ୍ରତେକଟି ଜୀବଜନ୍ତୁଙ୍କ ଗତିବିଦ୍ଧିକୁ ଦିନ ହେଉ ବା ରାତି ନଜର ରଖିବ ଅତ୍ୟାଧୁନିକ ସିସିଟିଭି କ୍ୟାମେରା । କେବଳ ଯେ ଜୀବଜନ୍ତୁଙ୍କୁ ନଜର ରଖିବ ତାହା ନୁହେଁ ବରଂ ଶିକାରୀ ଓ ଶିକାରକୁ ଚିହ୍ନଟ କରିବ ସିସିଟିଭି । ପ୍ରକୃତିର ଗନ୍ତାଘର ଭିତରକନିକାର ଶୋଭାକୁ ଦ୍ଵିଗୁଣିତ କରିଥାଏ ।ଏଠାରେ ରହି ଆସୁଥିବା ବଉଳା କୁମ୍ଭୀର, ଗୋରୀ, ମଲ୍ଲୀ, ବିଭିନ୍ନ ପ୍ରଜାତିର ହରିଣ, ହେଟାବାଘ, ଗୋଧି, ବାର୍ହା, ଓଧ  ,ହେନ୍ତାଳ ବନ ଓ ଦେଶୀ ବିଦେଶୀ ପକ୍ଷୀଙ୍କ କଳ କଳ ରାବ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ । ତେବେ ଏମାନଙ୍କ ଗତିବିଧି ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଆଉ ପାଦେ ଆଗେଇଛି ବନ ବିଭାଗ । ପ୍ରଥମ ଥର ପାଇଁ ରାଜନଗର ରେଞ୍ଜର ବରୁଣେଇ , ଦୋବନ୍ଧି ,ଠାକୁରଡିଆ ଫରେଷ୍ଟ ବ୍ଳକ, ଅଙ୍ଗାରି ଫରେଷ୍ଟ ବ୍ଳକ ଆଦି ୨୦ଟି ସ୍ଥାନରେ ଅତ୍ୟାଧୁନିକ ସିସିଟିଭି କ୍ୟାମେରା ଲଗାଯିବ। ଏହି କ୍ୟାମେରାରେ ମାସେ ଯାଏ  ଭିଡିଓ ରେର୍କଡିଂ  ସଂରକ୍ଷିତ ହୋଇ ରହିପାରିବ । ଆଗକୁ ବନ ବିଭାଗ ଅଧିନରେ ଥିବା ୫ ଟି ରେଞ୍ଜରେ କ୍ୟାମେରା ଲଗାଯିବ । ଅଲ ଇଣ୍ଡିଆ ଟାଇଗର ଏଷ୍ଟିମେଶନ ୨୦୨୨ ଭାରତର ସବୁ ରାଜ୍ୟରେ ହେବ ବୋଲି ନୋଟିସ ଜାରି ହେଇସାରିଛି । ତେବେ ପୂର୍ବରୁ ସୁନ୍ଦରବନରେ ଏହି ସବୁ କ୍ୟାମେରା ଟ୍ରାପ୍ ହେଉଥିଲା । ଏବେ ଭିତରକନିକାରେ ଏହା କାର୍ଯ୍ୟକ୍ଷମ ହେବ । ଯଦ୍ୱାରା ଜନ୍ତୁଙ୍କ ଉପରେ ନଜର ରଖା ଯାଇପାରିବ । କର୍ମଚାରୀମାନେ ଠିକ୍ ଭାବେ କାର୍ଯ୍ୟ କରୁଛନ୍ତି କି ନାହିଁ ଓ ଶିକାରୀମାନେ କେତେ ସକ୍ରିୟ ଅଛନ୍ତି ତାହା ଉପରେ ମଧ୍ୟ ନଜର ରଖାଯିବ ।

Leave A Reply

Your email address will not be published.