Jai Odisha
News

ସୀମା ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

 ଭୁବନେଶ୍ୱର,୪/୧୧: ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ କୋରାପୁଟ ଏବଂ ଗଜପତି ଜିଲ୍ଲାରେ ଉଭା ହୋଇଥିବା ସୀମା ବିବାଦକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିବା ସହ ବିଭିନ୍ନ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଏବଂ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣାରେ ଦେଖାଯାଇଥିବା ସୀମା ବିବାଦର ସମାଧାନ କରିବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସୀମା ବିବାଦର ସମାଧାନ ପାଇଁ ଏକ ସର୍ବଦଳୀୟ ବୈଠକ ଡକାଯାଉ । ବୈଠକରେ ସୀମା ବିବାଦ ପାଇଁ ଗଠନ କରାଯାଇଥିବା ଆନ୍ତଃରାଜ୍ୟ କମିଟିର ଅଗ୍ରଗତି କାର୍ଯ୍ୟ ଉପରେ ସମୀକ୍ଷା କରାଯାଉ। ଏହାସହ ସୀମାବର୍ତ୍ତୀ ଗାଁ ଗୁଡ଼ିକରେ ନିଆଯାଇଥିବା ବିକାଶମୂଳକ କାର୍ଯ୍ୟ ଗୁଡ଼ିକର ତଥ୍ୟ ବୈଠକରେ ଉପସ୍ଥାପନ କରିବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଶାନ୍ତିପୂର୍ଣ୍ଣ ଭାବରେ ଦୁଇ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା କରି ସୀମା ବିବାଦର ସମାଧାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ୨୦୨୦ ଓ ୨୦୨୧ରେ ଚିଠି ଲେଖି ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।  ବିଗତ ବର୍ଷ ମାନଙ୍କରେ ଏହି ସୀମା ବିବାଦର ସମାଧାନ ପାଇଁ ତାଙ୍କ ଦ୍ୱାରା ଉଦ୍ୟମ କରାଯିବା ସତ୍ତ୍ୱେ ଏଥିରେ କୌଣସି ପରିବର୍ତ୍ତନ ହୋଇ ନଥିବା ଭଳି ମନେହେଉଛି ବୋଲି ସେ କହିଛନ୍ତି ।କେନ୍ଦ୍ରମନ୍ତ୍ରୀ ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ବିଗତ କିଛି ଦିନ ମାନଙ୍କରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ସୀମାବର୍ତ୍ତୀ ଗ୍ରାମରେ ପ୍ରଶାସନିକ ହସ୍ତକ୍ଷେପ କରିବାର ଖବର ସାମ୍ନାକୁ ଆସୁଛି । ଆନ୍ଧ୍ର ସରକାରଙ୍କ ଦ୍ୱାରା ଏହି ବେଆଇନ ଓ ଦୁର୍ଭାଗ୍ୟପୂର୍ଣ୍ଣ ହସ୍ତକ୍ଷେପ କେବଳ କୋଟିଆରେ ସୀମିତ ହୋଇ ରହିନାହିଁ ବରଂ ଦକ୍ଷିଣ ଓଡ଼ିଶାରେ ଅନେକ ଗ୍ରାମକୁ ବ୍ୟାପିବାରେ ଲାଗିଛି । ନାମ ପରିବର୍ତ୍ତନ କରାଯାଇ ଆନ୍ଧ୍ର ସରକାରଙ୍କ ଦ୍ୱାରା ନୂତନ ଭାବେ ଗଠିତ ହୋଇଥିବା ପାର୍ବତିପୂରମ ମାନ୍ୟମ ଜିଲ୍ଲାରେ ଏହିଭଳି ୨୧ଟି ଗ୍ରାମକୁ ଅନ୍ତର୍ଭୃକ୍ତ କରାଯାଇଛି, ଯାହାର ସଦର ମହକୂମା କୋଟିଆର ଅନେକ ଗ୍ରାମରୁ ୪୦ କିମି ଦୂରରେ ରହିଛି । ଆନ୍ଧ୍ର ସରକାର ସକ୍ରିୟ ଭାବେ ଏହି ସବୁ ଗ୍ରାମରେ ବିଭିନ୍ନ ଯୋଜନା ଓ ଉନ୍ନୟନ କାର୍ଯ୍ୟକୁ କାର୍ଯ୍ୟକାରୀ କରିବା ସହ ଅଞ୍ଚଳର ଅଧିବାସୀଙ୍କୁ ଆନ୍ଧ୍ରର ଅଂଶ ହେବା ପାଇଁ ପ୍ରଲୋଭନ ଦେଖାଉଛନ୍ତି । ଏଭଳି ସମୟରେ ଓଡ଼ିଶା ସରକାର ମଧ୍ୟ ସରଜମିନ ସ୍ତରରେ କ୍ରୀୟାଶିଳ ହେବାର ଆବଶ୍ୟକତା ରହିଛି । ଫଳସ୍ୱରୂପ ସରକାର ଏବଂ ପ୍ରଶାସନ ଏହି ସୀମାବର୍ତ୍ତୀ ଗ୍ରାମବାସୀଙ୍କ ନିକଟତର ହୋଇପାରିବ । ଜିଲ୍ଲା ମୁଖ୍ୟାଳୟ ବହୁ ଦୂରରେ ଥିବାରୁ ଲୋକମାନେ ଆନ୍ଧ୍ରପ୍ରଦେଶ ପ୍ରଶାସନ ପାଖରେ ହାଜର ହୋଇପାରନ୍ତି ।ପଡ଼ୋଶୀ ରାଜ୍ୟ ଗୁଡ଼ିକ ମଧ୍ୟ ଏହିଭଳି ଭାବରେ ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ନାଗରିକଙ୍କୁ ଓଡ଼ିଶା ଠାରୁ ଦୂରେଇ ନେବା ପାଇଁ ସମାନ ଉପାୟ ଅବଲମ୍ବନ କରିପାରନ୍ତି । ଫଳସ୍ୱରୂପ ମାତୃଭୂମି ସହ ଥିବା ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ତୁଟିଯିବାର ଆଶଙ୍କା ତିଆରି ହେଉଛି । ଆନ୍ଧ୍ର ସରକାର ଯୋଜନାବଦ୍ଧ ଭାବରେ ସୀମାବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ରାସନ କାର୍ଡ, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରି ଗ୍ରାମବାସୀଙ୍କୁ ନିଜ ଆଡକୁ ଟାଣିବା ପାଇଁ ଚେଷ୍ଟା କରୁଛନ୍ତି । ଏହି ସବୁ ବିଷୟକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜନସାଧାରଣ ଓ ସଂଗଠନକୁ ବିଶ୍ୱାସର ସହ ନିଆଯାଉ । ବିକାଶ ସହ ଜଡ଼ିତ ପ୍ରସଙ୍ଗର ସମାଧାନ କରାଯାଉ । ଆନ୍ଧ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ସୁବିଧା ଦ୍ୱାରା ଲୋକମାନେ କିପରି ପ୍ରଲୋଭିତ ନ ହେବେ, ସେ ଦିଗ ପ୍ରତି ଧ୍ୟାନ ଦିଆଯାଉ । ସୀମା ବିବାଦ ଅଞ୍ଚଳ ଗୁଡ଼ିକରେ ଓଡ଼ିଶା ସରକାରଙ୍କ ଦ୍ୱାରା ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ । ପ୍ରଶାସନିକ ମୁହାଁମୁହିଁ ଓ ବିବାଦ ଦ୍ୱାରା ଉକ୍ତ ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସହ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ଏପରି ପରିସ୍ଥିତି ଉପୁଜିଲେ ଉଭୟ ରାଜ୍ୟର ସାମାଜିକ ଓ ରାଜନୈତିକ ଉଦ୍ଦେଶ୍ୟର ବିରୋଧ ହେବ, ଯାହା ବ୍ୟବସ୍ଥା ବିରୋଧୀ ମତକୁ ପ୍ରଶୟ ଦେବ ।

 

Leave A Reply

Your email address will not be published.