Jai Odisha
News

ସ୍ନାନଯାତ୍ରାରୁ ରଥଯାତ୍ରା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ,,୩୦।୫ :ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସୋମବାର ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯାଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚା, ବାହୁଡ଼ା, ସୁନାବେଶ, ଅଧରପଣା ଭୋଗ ଏବଂ ନୀଳାଦ୍ରି ବିଜେ ପାଇଁ ଛତିଶା ନିଯୋଗ ପ୍ରସ୍ତୁତ ନୀତି ନିର୍ଘଣ୍ଟ ଅନୁମୋଦନ କରାଯାଇଛି। ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପନ୍ନକୁ ଗୁରୁତ୍ୱ ଦିଆଯାଇଛି।  ଛତିଶାନିଯୋଗ ବୈଠକରେ ସ୍ନାନଯାତ୍ରାଠାରୁ ଆରମ୍ଭ କରି ରଥଯାତ୍ରା ପର୍ଯ୍ୟନ୍ତ ଯାହା ବି ନୀତିକାନ୍ତି ରହିଛି,   ପରିଚାଳନା କମିଟି ଏହି ନୀତିକାନ୍ତିକୁ ଅନୁମୋଦନ କରିଛି। ନୀତିକାନ୍ତି ଶୃଙ୍ଖଳା ଉପରେ ଗୁରୁତ୍ବାରୋପ କରାଯାଇଛି। ଜୁନ୍‌ ୪ରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଜୁନ୍‌ ୨୦ରେ ଶ୍ରୀଗୁଣ୍ଡିଚା ଯାତ୍ରା। ସେଦିନ ସକାଳ ୬ଟାରେ ଶ୍ରୀଜୀଉଙ୍କୁ ମଙ୍ଗଳ ଆଳତି କରାଯିବ। ସକାଳ ୮ରୁ ୯ଟା ମଧ୍ୟରେ ଗୋପାଳ ବଲ୍ଲଭ ଏବଂ ସକାଳଧୂପ ସମ୍ପନ୍ନ ହେବ। ଦିନ ୯ଟାରେ ତିନିରଥ ପ୍ରତିଷ୍ଠା କରାଯିବ। ମଙ୍ଗଳାର୍ପଣ ପରେ ୯ଟା ୩୦ରେ ଆରମ୍ଭ ହେବ ଠାକୁରଙ୍କ ପହଣ୍ଡି। ଦିନ ୧୨ଟା ୩୦ ସୁଦ୍ଧା ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନ ରଥ ଉପରେ ବିଜେ କରିବେ। ପରେ ମଦନମୋହନ ଏବଂ ରାମକୃଷ୍ଣଙ୍କୁ ବିଜେ କରାଯିବ। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଦିନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ରଥ ଉପରକୁ ଯାଇ ଛେରା ପହଁରା କରିବେ। ପରେ ଚାରମାଳ ଫିଟାଯାଇ ଘୋଡ଼ା ଓ ସାରଥି ଲଗାଯିବ। ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ପାଇଁ ସମୟ ସ୍ଥିର କରାଯାଇଛି। ସେହିପରି ଜୁନ୍‌ ୨୮ରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ପ୍ରାତଃ ୪ଟାରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମନ୍ଦିରରେ ମହାପ୍ରଭୁଙ୍କୁ ମଙ୍ଗଳ ଆଳତି କରାଯିବ। ସକାଳ ୫ଟା ୩୦ ସୁଦ୍ଧା ଚତୁର୍ଦ୍ଧା ବିଗ୍ରହଙ୍କୁ ବେଶ କରାଯିବ। ସକାଳ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳଧୂପ, ସେନାପଟା ଲାଗି ଏବଂ ମଙ୍ଗଳାର୍ପଣ ପରେ ଦିନ ୧୨ଟାରେ ଆରମ୍ଭ ହେବ ମହାପ୍ରଭୁଙ୍କ ବାହୁଡ଼ା ପହଣ୍ଡି। ବାହୁଡ଼ାରେ ଅପରାହ୍ଣ ୪ଟା ସୁଦ୍ଧା ରଥଟଣା ଆରମ୍ଭ କରାଯିବ। ୨୦୨୪-୨୫ ଶିକ୍ଷାବର୍ଷରୁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ କାର୍ଯ୍ୟକାରୀ କରିବା ଉପରେ ବୈଠକରେ ଆଲୋଚନା ହୋଇଛି। ପରିକ୍ରମା ପ୍ରକଳ୍ପ ବି ଖୁବ୍‌ଶୀଘ୍ର ସାରିବାକୁ ଲକ୍ଷ୍ୟ ରଖିଛୁ। ଶ୍ରୀମନ୍ଦିର ବାହାର ପରିକ୍ରମା ସହ ଶ୍ରୀମନ୍ଦିର ଭିତରେ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ଉପରେ ଗୁରୁତ୍ବାରୋପ କରାଯାଇଛି। ଭକ୍ତମାନେ ଶ୍ରୀମନ୍ଦିର ଭିତରେ ଯେଭଳି ଶୃଙ୍ଖଳିତ ଦର୍ଶନ ଉପରେ ଆମେ ପରିଚାଳନା କମିଟି ବୈଠକ ଡାକିବୁ ବୋଲି ଶ୍ରୀ ଜେନା କହିଛନ୍ତି। ମହାପ୍ରଭୁଙ୍କ ଗୀ‌ତଗୋବିନ୍ଦ ଖଣ୍ଡୁଆ ନୂଆରୂପ ପାଇବ। ଏହାର ପ୍ରସ୍ତୁତି ପ୍ରଣାଳୀ ବଦଳିବ। ବିନା ଜୀବହତ୍ୟାରେ ସଂଗ୍ରହ ରେଶମରେ ମହାପ୍ରଭୁଙ୍କ ଅତିପ୍ରିୟ ଗୀତଗୋବିନ୍ଦ ଖଣ୍ଡୁଆ ପ୍ରସ୍ତୁତ ହେବ।   ଏହାର ଏକ ନକଲ ଶ୍ରୀମନ୍ଦିର ପରିଚାଳନା କମିଟି ବୖଠକରେ ଉପସ୍ଥାପନ କରାଯାଇଛି। ପରିଚାଳନା କମିଟି ସଦସ୍ୟ ଏହାର ପ୍ରସ୍ତୁତି ପ୍ରଣାଳୀକୁ ପ୍ରଂଶସା କରିବା ସହ ଶ୍ରୀମନ୍ଦିରରେ ଏହାର ପ୍ରଚଳନ ପାଇଁ ସହମତି ଜଣାଇଛି ବୋଲି ଶ୍ରୀମନ୍ଦିର କାର୍ଯ୍ୟକାରୀ ସଭାପତି ତଥା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି। ସେପ‌ଟେ ଆଜିର ବୈଠକରେ ସ୍ନାନଯାତ୍ରାଠାରୁ ରଥଯାତ୍ରା ପର୍ଯ୍ୟନ୍ତ ଯାହା ବି ନୀତିକାନ୍ତି ରହିଛି, ସେଥିରେ ପରିଚାଳନା କମିଟି ଚୂଡ଼ାନ୍ତ ମୋହର ମାରିଛି।

 

Leave A Reply

Your email address will not be published.