Jai Odisha
News

୫–ଟି ସଚିବଙ୍କ ଦୁଇ ଦିନିଆ କେନ୍ଦ୍ରାପଡ଼ା ଗସ୍ତ,ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ

କେନ୍ଦ୍ରାପଡ଼ା,୨୮।୪ : ଦୁଇ ଦିନିଆ କେନ୍ଦ୍ରାପଡ଼ା ଗସ୍ତରେ  ୫-ଟି ସଚିବ ଭି.କେ. ପାଣ୍ଡିଆନ|ଗୁରୁବାର ଦିନ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିଛନ୍ତି।  ଦୁଇ ଦିନିଆ ଗସ୍ତରେ ଆସିଥିବା ଶ୍ରୀ ପାଣ୍ଡିଆନ ଗୁରୁବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ାରେ ପହଞ୍ଚିବା ପରେ ପ୍ରଥମେ ଜମଧରସ୍ଥିତ ଆରଏମ୍‌ସି ଅଫିସ୍‌ ପରିସରରେ ଚାଲିଥିବା ୫୦୦ ମେଟ୍ରିକ୍ ଟନ୍‌ ବିଶିଷ୍ଟ ଶୀତଳଭଣ୍ଡାରର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ଏହାକୁ ଖୁବଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ କେନ୍ଦ୍ରାପଡା ବ୍ଲକ୍‌ ଜଜାଙ୍ଗସ୍ଥିତ ସଂକଳ୍ପ ପ୍ରକଳ୍ପ ପରିଦର୍ଶନ କରି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଦ୍ବାରା ଗୋଲଡେନ୍‌ ଗ୍ରାସ୍‌ରେ ପ୍ରସ୍ତୁତ ହସ୍ତଶିଳ୍ପ ଦେଖିଥିଲେ। ଏହାପରେ ଶ୍ରୀ ପାଣ୍ଡିଆନ ବଡମୂଳବସନ୍ତ ଅଞ୍ଚଳରେ ଚାଲିଥିବା ଜୟ ସଂକଟମୋଚନ ଓ ମା ଶାରଳା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ମତ୍ସ୍ୟ ଚାଷ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ। ସେହିପରି ଡେରାବିଶ ବ୍ଲକ୍‌ରେ ଥିବା ମିସନ ଶକ୍ତି କାଫେ ପରିଦର୍ଶନ କରି ଏସଏଚ୍‌ଜି ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ। ୫- ଟି ସଚିବ ଭି କେ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ଜିଲା ପ୍ରଶାସନ ସହଯୋଗରେ ମହାକାଳପଡ଼ା ବ୍ଲକ ଆଡୋଇସ୍ଥିତ ନବ ନିର୍ମିତ ଆଦର୍ଶ ବିଦ୍ୟାଳୟ ପରିସରରେ ପହଞ୍ଚିିଥିଲେ। ଏହି ଅଞ୍ଚଳରେ ପ୍ରସ୍ତାବିତ ଶିଳ୍ପ ପ୍ରତିଷ୍ଠା ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ ତଥା ଭୌଗୌଳିକ ଅବସ୍ଥିତି ( ନକ୍ସା ) ଦେଖିଥିଲେ। ଘରୋଇ, ସରକାରୀ ଜମି ତଥ୍ୟ ସମ୍ପର୍କରେ ପ୍ରଶାସନ ସହିତ ଆଲୋଚନା କରିଥିଲେ। ୧୦୦ କୋଟି ଟଙ୍କାର ଜମ୍ବୁ-ମାର୍ଶାଘାଇ ମୁଖ୍ୟ ରାସ୍ତା ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି ବୋଲି କହିଥିଲେ। ଏହି ବ୍ଲକର ବତୀଘର, ଖରିନାସି ଓ ରାମନଗର ପଞ୍ଚାୟତର ୧୧ଟି ଗ୍ରାମର ଦୁଇଟି ପର୍ଯ୍ୟାୟରେ ୧୦ ହଜାର ଏକର ଜମିରେ ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପ ନିର୍ମାଣ ହେବ ବୋଲି ପ୍ରାଥମିକ ସର୍ଭେରୁ ତହସିଲ କାର୍ଯ୍ୟଳୟ ପକ୍ଷରୁ ସୂଚନା ମିଳିଛି। ମହାକାଳପଡା ବ୍ଲକ୍‌ ଆଡୋଇଠାରେ ପ୍ରସ୍ତାବିତ ଆର୍ସେଲ୍‌ ମିତ୍ତଲ ଷ୍ଟିଲ୍‌  ଜିଲ୍ଲାସ୍ତରରେ ଯେଉଁସବୁ ସମସ୍ୟାର ସମାଧାନ ହୋଇପାରିବ, ତାର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।  ପ୍ରସିଦ୍ଧ ବଳଦେବଜିଉ ମନ୍ଦିର, ଗୋଲରାହାଟସ୍ଥିତ ଦଧିବାମନଜିଉ ମନ୍ଦିର ଓ ରାମନଗରଠାରେ ଥିବା ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ବଳଦେବଜିଉ ମନ୍ଦିର ଟ୍ରଷ୍ଟବୋର୍ଡ ଓ ସେବାୟତମାନଙ୍କ ସହିତ ଆଲୋଚନା କରି ମନ୍ଦିରର ଅଧିକ ବିକାଶ ଓ ସୌନ୍ଦର୍ଯ୍ୟୀକରଣ ପାଇଁ ଡିପିଆର୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଦଧିବାମନଜିଉ ଓ ରାମଚଣ୍ଡୀ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟୀକରଣ ପାଇଁ ଡିପିଆର୍‌ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.