Jai Odisha
News

୫ ଡିଗ୍ରୀ କମିଲା ପାରଦ,ଘୂର୍ଣ୍ଣିଝଡ଼, ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୨୨।୪: ରାଜ୍ୟରେ ଗତ କିଛି ଦିନ ହେବ ଲୋକମାନେ ଅସହ୍ୟ ଖରାରେ କଲବଲ ହେଉଥିବା ବେଳେ ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି । କାଳବୈଶାଖୀ ଯୋଗୁଁ ରାଜ୍ୟରେ ତାପମାତ୍ରା କମିଯାଇଛି । ୪୦ ଡିଗ୍ରୀ ତଳେ ରାଜ୍ୟର ସବୁ ସହରର ପାରଦ ରହିଛି । ନୂଆପଡ଼ାରେ ୩୯.୪, ଝାରସୁଗୁଡ଼ା ୩୮.୬, ପାରଳାଖେମୁଣ୍ଡି ୩୭.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।ରାଜ୍ୟର ସବୁ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସି ଆସିଛି। ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ କୋହଲା ପବନ ବହିବା ଯୋଗୁଁ ତାତିରୁ ମୁକ୍ତି ମିଳିଛି। ୮ସ୍ଥାନରେ ଘୂର୍ଣ୍ଣିଝଡ଼ ସହିତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି ଏବଂ ରାଜ୍ୟବ୍ୟାପି ଦିନ ତାପମାତ୍ରା ହ୍ରାସ ପାଇଛି। ତେବେ ଆସନ୍ତା ୨୬ତାରିଖ ପରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇପାରେ ​ବୋଲି ସୂଚନା ମିଳିଛି |ସେହିପରି ସୁନ୍ଦରଗଡରେ ୩୭.୫, ବାରିପଦା ୩୭.୪, ମାଲକାନଗିରି ୩୬.୯, ଯାଜପୁର ଓ ଛତ୍ରପୁରରେ ତାତି ୩୭ ଡିଗ୍ରୀ, ବାଲେଶ୍ୱର ୩୬.୭, ରାଉରକେଲା ୩୬.୪, ଗୋପାଳପୁର ୩୬.୨, ଭୁବନେଶ୍ୱର ୩୬.୧, ରାୟଗଡ଼ା ୩୬, କଟକ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।ଗୁରୁଚାପର ପ୍ରଭାବ ହ୍ରାସ ହେବା ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଯାଇଛି । ଏହାଫଳରେ ତାପମାତ୍ରା ହ୍ରାସପାଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave A Reply

Your email address will not be published.