Jai Odisha
News

୫-ଟି ସଚିବଙ୍କ କେନ୍ଦ୍ରାପଡ଼ା ଗସ୍ତ , ବିକାଶ ପାଇଁ ପ୍ରତିଶ୍ରୁତି

କେନ୍ଦ୍ରାପଡ଼ା,୨୯।୪ : କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ଦିନ ରାଜନଗର, ରାଜକନିକା ଓ ଆଳି ବ୍ଲକ୍‌ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିଛନ୍ତି। ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି। ରାଜନଗରର କେରେଡାଗଡ ଶ୍ରୀ ଜଗନ୍ନାଥ ମନ୍ଦିର, ଶ୍ରୀମଦ୍‌ ବାୟା ବାବାଙ୍କ ମଠ ଓ ମା’ ପଞ୍ଚୁବରାହୀଙ୍କ ମନ୍ଦିରର ପୁନରୁଦ୍ଧାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସାତଭାୟା ଥଇଥାନ କଲୋନିର ରୂପରେଖ ବଦଳିବ ଓ ବାଦ୍‌ ପଡିଥିବା ପରିବାର ଥଇଥାନ ହେବେ ବୋଲି କହିବା ସହ ନୂଆ ବର୍ଷ ପୂର୍ବରୁ ଥଇଥାନ କଲୋନିର ଚିତ୍ର ବଦଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଶୁକ୍ରବାର ସକାଳେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ପ୍ରଥମେ ଆଳି ବରାହ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ସେଠାରେ ଉପସ୍ଥିତ ଟ୍ରଷ୍ଟବୋର୍ଡର ସଭାପତି ତଥା ଆଳି ରାଜା ବ୍ରଜ କେଶରୀ ଦେବଙ୍କ ସହିତ ମନ୍ଦିରର ଉନ୍ନତୀକରଣ ସଂପର୍କରେ ଆଲୋଚନା କରିଥିଲେ। ପରେ ଆଳି ଷ୍ଟାଡିୟମ ଭିତ୍ତିଭୂମି ଦେଖିଥିଲେ। ଏହି ଷ୍ଟାଡିୟମର ସମସ୍ୟା ଦୂରୀକରଣ କରାଯାଇ ରୂପରେଖ ବଦଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଶ୍ରୀ ପାଣ୍ଡିଆନ୍‌ ରାଜନଗର ବ୍ଲକ୍‌ କୋଇଲିପୁର ପଞ୍ଚାୟତ ବଡ଼ପଲ୍ଲୀ ନୋଡାଲ ହାଇସ୍କୁଲରେ ୫-ଟି ରୂପାନ୍ତରଣ କାର୍ଯ୍ୟ ଦେଖିଥିଲେ। ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥିତି ଅନୁଧ୍ୟାନ କରିବା ସହିତ ଭାଟପଡା ନିକଟରେ ହଂସୁଆ ନଦୀରେ ନିର୍ମାଣ ହୋଇଥିବା ଲଞ୍ଚିଙ୍ଗ, ପ୍ୟାକିଂ ଓ ସ୍ପର୍‌ ବୁଲି ଦେଖିଥିଲେ। ଏହାପରେ ନାମାଚାର୍ଯ୍ୟ ଶ୍ରୀମଦ୍‌ ବାୟାବାବାଙ୍କ ଜନ୍ମପୀଠ ମଠ ଦର୍ଶନ କରିଥିଲେ। ସେଠାରୁ ବଗପାଟିଆରେ ଥଇଥାନ କରାଯାଇଥିବା ସାତଭାୟାବାସୀଙ୍କୁ ଭେଟିଥିଲେ। ଏହି ଅବସରରେ ଥଇଥାନ ପ୍ରକ୍ରିୟାରୁ ବାଦ୍‌ ପଡିଥିବା ସମସ୍ତ ପରିବାରଙ୍କୁ ଥଇଥାନ କରାଯିବ ବୋଲି କହିଥିଲେ। ଜିଲ୍ଲା ପ୍ରଶାସନ ୨୨କୋଟି ଟଙ୍କାର ପ୍ରସ୍ତାବ ପଠାଇଛନ୍ତି, ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଏହାକୁ ଅନୁମୋଦନ କରିବେ ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ୫-ଟି ସଚିବଙ୍କ ସହିତ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଏସ୍‌ପି ମଦକର ସନ୍ଦୀପ ସମ୍ପଦ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.