Jai Odisha
News

ସ୍ୱଚ୍ଛ ତଥା ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟରେ ମୁତୟନ ହେବେ ୧୬୫ କମ୍ପାନୀ ସିଏପିଏଫ୍‌‌ ଯବାନ

ସାରା ଦେଶରେ ବଢୁଛି ନିର୍ବାଚନୀ ଉଷ୍ମତା । ଏଥର ବିଭିନ୍ନ ଦଳ ମଧ୍ୟରେ ହେଉଛି କଡ଼ା ଟକ୍କର । ପ୍ରତ୍ୟେକ ଦଳ ଏଥର ପୂର୍ଣ୍ଣ ପସ୍ତୁତି ସହ ନିର୍ବାଚନୀ ମତଦାନକୁ ଓହ୍ଲାଉ ଥିବା ବେଳେ ବାଜିମାତ୍ ପାଇଁ ସମସ୍ତେ ଭିନ୍ନ ଭିନ୍ନ ରଣ କୌଶଳ ଆପଣାଉଛନ୍ତି । ଅନ୍ୟପଟେ ଏଥର ବିଭିନ୍ନ ଦଳରେ ନୂଆ ମୁହଁ ମଧ୍ୟ ଦେଖିବାକୁ ମିଳିଛି । ଏହା ସହ ଦଳବଳ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏସମସ୍ତ ପରିସ୍ଥିତିରେ ରାଜ୍ୟରେସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳା ସହିତ ମତଦାନ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ନିର୍ବାଚନ ପ୍ରକ୍ରିୟାର ସଠିକ୍ ପରିଚାଳନା ପାଇଁ ଓଡ଼ିଶାରେ ୧୬୫ କମ୍ପାନୀ ସିଏପିଏଫ୍‌‌ ମୁତୟନ ପାଇଁ ବ୍ୟବସ୍ଥା ହୋଇଛି। ଏଥିମଧ୍ୟରୁ ୮୩ କମ୍ପାନୀ ଇନ୍‌‌ସିଟୁ ମୁତୟନ ଓ ୮୨ କମ୍ପାନୀ ଡାଇରେକ୍ଟ ଇଣ୍ଡକ୍‌‌ସନ୍‌‌ ମାଧ୍ୟମରେ ମୁତୟନ ହେବେ। ରାଜ୍ୟରେ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪କୁ ମୁକ୍ତ, ଅବାଧ, ସ୍ୱଚ୍ଛ ତଥା ନିରପେକ୍ଷ ରୂପେ ପରିଚାଳନା କରିବା ପାଇଁ ଏଭଳି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମତପ୍ରକାଶ କରିଛନ୍ତି।
ଶ୍ରୀ ଧଳଙ୍କ ସୂଚନାନୁଯାୟୀ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୫ କମ୍ପାନୀ ସିଏପିଏଫ୍‌‌ ଯବାନ୍‌‌ ମୁତୟନ ହୋଇସାରିଛନ୍ତି। ସେମାନେ ବିଭିନ୍ନ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଲକ୍ଷ୍ୟରେ ବିଶ୍ୱାସ ସୃଷ୍ଟି ପାଇଁ ଫ୍ଲାଗ୍‌‌ମାର୍ଚ୍ଚ ଆଦି କରୁଛନ୍ତି। ଆସନ୍ତା ମେ’ ୧ ତାରିଖରେ ଆହୁରି ୪୮ କମ୍ପାନୀ ଓ ୯ ତାରିଖରେ ୪୨ କମ୍ପାନୀ ସିଏପିଏଫ୍‌‌ ଜବାନ୍‌‌ କାର୍ଯ୍ୟରେ ଯୋଗଦେବେ। ସେମାନଙ୍କ ମଧ୍ୟରୁ ୨୫ କମ୍ପାନୀ ଷ୍ଟ୍ରଙ୍ଗ ରୁମ୍‌‌ର ସୁରକ୍ଷା ଦାୟିତ୍ୱରେ ରହିବେ। ଏହି ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ସାମଗ୍ରିକ ନିର୍ବାଚନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳା ଓ ତ୍ରୁଟିଶୂନ୍ୟ ଭାବରେ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ମତପୋଷଣ କରିଛନ୍ତି।

Leave A Reply

Your email address will not be published.