Jai Odisha
News

ସ୍ବାଭାବିକଠୁ କମ୍ ବର୍ଷା, ଗଞ୍ଜାମରେ ଗଜା ମରୁଡ଼ି ଆଶଙ୍କା

ଛତ୍ରପୁର : ଜ୍ୟେଷ୍ଠ ସରି ଆଷାଢ଼ ପଶିଲା। ହେଲେ ଗଞ୍ଜାମ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ବର୍ଷା ହୋଇନି। ଜୁନ୍ ମାସରେ ସ୍ବାଭାବିକଠୁ କମ୍ ବର୍ଷା ‌ହୋଇଥିବା ବେଳେ ଏଭଳି ପରିସ୍ଥିତି ଜାରି ରହିଲେ ଜିଲ୍ଲାରେ ଗଜା ମରୁଡ଼ି ଆଶଙ୍କା ଏଡ଼ାଇ ଦେଇହେବ ନାହିଁ। ଗୋଟିଏ ପଟେ କରୋନା ମହାମାରୀର ପ୍ରାଦୁର୍ଭାବ ବେଳେ ଅନ୍ୟପଟେ ଖରିଫ ଆରମ୍ଭରୁ ସ୍ବଳ୍ପବର୍ଷା ଯୋଗୁଁ ଚାଷ କାର୍ଯ୍ୟ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି। ଫଳରେ ଚାଷୀକୁଳ ବର୍ତ୍ତମାନ ଚିନ୍ତାରେ ପଡ଼ିଛନ୍ତି।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଗଞ୍ଜାମ ଜିଲ୍ଲାରେ ଜୁନ୍‌ ମାସରେ ସାଧାରଣତଃ ୧୬୮.୩ ମିମି ବର୍ଷା ହେବା କଥା। କିନ୍ତୁ ଏହି ମାସକରେ ମାତ୍ର ୧୦୨.୧୮ ମିମି ବର୍ଷା ହୋଇଛି। ଫଳରେ ବେଗୁନିଆପଡ଼ା, ଦିଗପହଣ୍ତି, ସାନଖେମୁଣ୍ତି, ଶେରଗଡ଼, ପୋଲସରା, ଖଲ୍ଲିକୋଟ, ଛତ୍ରପୁର, ଗଞ୍ଜାମ ଓ ପୁରୁଷୋତ୍ତମପୁର ଭଳି ବିଭିନ୍ନ ବ୍ଲକ୍ ଇଲାକାରେ ତଳି ପୋଡ଼ି ଯାଇଥିବା ନଜରକୁ ଆସିଛି। ଅନେକ ସ୍ଥାନରେ ପାଣି ଅଭାବରୁ ଜମିରେ ବୁଣା ଧାନ ବି ଉଠୁ ନଥିବା ଦେଖିବାକୁ ମିଳିଛି। ବର୍ଷା ଅଭାବରୁ ତଳି ପୋଡ଼ି ଯାଉଥିବା ବିଭିନ୍ନ ବ୍ଲକର ଚାଷୀ ଏବଂ ଚାଷୀ ନେତାମାନେ କହିଛନ୍ତି। ଜିଲ୍ଲାରେ ଚାଷ କାର୍ଯ୍ୟ ଆଗୁଆ ଆରମ୍ଭ ହୋଇଥାଏ। ୪ ଲକ୍ଷ ୮ ହଜାର ୮୧୭ ହେକ୍ଟର୍ ଜମି ମଧ୍ୟରୁ ୧. ୯୯ ହଜାର ହେକ୍ଟର୍‌ରେ ଧାନ ଚାଷ ହୋଇଥାଏ। ଜୁନ୍ ଶେଷ ସୁଦ୍ଧା୧୬୮ ମିମି ବର୍ଷା ହେବା କଥା। କିନ୍ତୁ ଅଦ୍ୟାବଧି ମାତ୍ର ୧୦୨ ମିମି ବର୍ଷା ହୋଇଛି। ଧାନତଳି ଗୁଡ଼ିକ ମଧ୍ୟମ ବୁଢ଼ା ହେବାକୁ ବସିଲାଣି। ଫଳରେ ଆଗକୁ ପର୍ଯ୍ୟାପ୍ତ ବର୍ଷା ନ ହେଲେ ସ୍ଥିତି ସଙ୍ଗିନ୍ ହେବା ଆଶଙ୍କା ସୃଷ୍ଟି ହୋଇଛି।

Leave A Reply

Your email address will not be published.