Jai Odisha
News

ଆଠଗଡ଼ରେ ପାଳନ ହେଉଛି ରାଜଦୋଳ ଏବଂ ଅଗ୍ନି ଉତ୍ସବ

ସବୁବର୍ଷ ପରି ଏ ବର୍ଷ ମଧ୍ୟ ଆଠଗଡ଼ ଚଳଚଞ୍ଚଳ ହୋଇପଡିଛି | ପାଳିତ ହୋଇଛି ରାଜଦୋଳ ଓ ଅଗ୍ନି ଉତ୍ସବ | ସାଧାରଣତଃ ମାଘ ମାସ ପୂର୍ଣ୍ଣିମା ଦିନ ଅଗ୍ନି ଉତ୍ସବ ପାଳନ କରାଯାଏ | କିନ୍ତୁ ଏଠାର ପରମ୍ପରା ଟିକିଏ ନିଆରା | କାହିଁ କେଉଁ ରାଜୁଡା ଅମଳରୁ ଫାଲଗୁନ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିର ମଧ୍ୟରାତ୍ରରେ ପାଳନ ହୋଇଆସୁଛି ଏହି ନିଆରା ପରମ୍ପରା। ଏହି ପରମ୍ପରାକୁ ଖୁସି ମନରେ ପାଳନ କରିଥାନ୍ତି ଆଠଗଡ଼ ବାସୀ | ଆଗ କାଳରୁ ରାଜାଙ୍କ ତତ୍ତ୍ଵାବଧାନରେ ଏହି ଉତ୍ସବ ପାଳନ କରାଯାଉଥିଲା | ବର୍ତ୍ତମାନ ଆଠଗଡ଼ ଦେବୋତ୍ତର ପ୍ରଶାସନ ପକ୍ଷରୁ ଏହାକୁ ପାରମ୍ପରିକ ଭାବେ ପାଳନ କରାଯାଇଆସୁଛି । ସନ୍ଧ୍ୟା ଆଳତି ପରେ ଆଠଗଡ଼ ଆରାଧ୍ୟ ଶ୍ରୀ ରାଧା ଗୋବିନ୍ଦ ଶ୍ରୀ ଅଟ୍ଟାଳୀଜଗନ୍ନାଥ ଏବଂ ଶ୍ରୀ ରଘୁନାଥ ତଥା ଅଟ୍ଟାଳି ଜଗନ୍ନାଥ, ରଘୁନାଥ, ସ୍ଵପ୍ନେଶ୍ଵର, କାଶୀ ବିଶ୍ୱନାଥ, ନୃସିଂହ ଠାକୁରଙ୍କୁ ଧରି ଚତୁର୍ଦଶୀ ଯାତ୍ରା କରିଥାନ୍ତି | ତାପରେ ନାରାୟଣ ମନ୍ଦିରରେ ସମସ୍ତ ଠାକୁରଙ୍କୁ ଭୋଗ ଲାଗି କରାଯିବା ପରେ ଗୋପବନ୍ଧୁ ଛକରେ ମେଣ୍ଢାଘର ପୋଡି ବା ହୋଲିକା ଦହନ ଉତ୍ସଭ ଅନୁଷ୍ଠିତ ହୋଇଥାଏ,ହୋଲିକା ଦହନ ପରେ ସମସ୍ତ ଠାକୁର ଝୁଲଣ ପଡିଆ ଠାରେ ଯାତ୍ରା କରିଥାନ୍ତି । 7 ରୁ ଅଧିକ ବିମାନ ଶୋଭାଯାତ୍ରା ରେ ଆସି ଭୋଗ ଖାଆନ୍ତି ଓ ଏହା ପରେ ଅଗ୍ନି ଉତ୍ସବ ପାଳନ କରାଯାଏ | ବିମାନ ଚାଚେରୀ ଭୋଗ ଖାଇ ସାରିବା ପରେ ବିଳମ୍ବିତ ରାତିରେ ଆଠଗଡ଼ ଗୋପବନ୍ଧୁ ଛକ ଠାରେ ଏକତ୍ରିତ ହୋଇ ଥାନ୍ତି। ବିଶ୍ୱାସ ରହିଛି ଠାକୁର ମାନଙ୍କ ବିମାନ ଅଗ୍ନି ପରିକ୍ରମା କଲେ ଗାଁ ରେ ଅଗ୍ନି ଭୟ ରହେ ନାହିଁ ଓ ଫସଲ ମଧ୍ୟ ଭଲ ହୋଇଥାଏ | ଏହା ପରେ ଥିବା ପାଉଁଶକୁ ପ୍ରସାଦ ଭାବେ ଗ୍ରହଣ କରିଥାନ୍ତି | ଏହି ପାଉଁଶ କୁ ନେଇ ଘରର ଈଶାଣରେ ଲାଗି କଲେ ପୂର୍ବ ପୁରୁଷ ଶାନ୍ତି ହେବା ସହିତ ଘରକୁ ଅଗ୍ନି ଭୟ ରହେ ନାହିଁ ବୋଲି ସାଧାରଣରେ ବିଶ୍ବାସ ରହିଛି।

Leave A Reply

Your email address will not be published.