Jai Odisha
News

ଓଡ଼ିଶାରେ ବିଲ୍ ଗେଟ୍ସ, ବୁଲିଲେ ବସ୍ତି ପଚାରିଲେ ଦୁଃଖ ସୁଖ ।

ଓଡ଼ିଶା ଗସ୍ତରେ ଆସିଥିବା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଧନୀ ବିଲ୍ ଗେଟ୍ସ ବୁଧବାର ଭୁବନେଶ୍ୱରର ବସ୍ତି ବୁଲିଛନ୍ତି । ବିଲ୍ ଗେଟ୍ସ ଆଜି ସକାଳୁ ଭୁବନେଶ୍ବର ଲୁମ୍ବିନୀ ବିହାର ମାଆ ମଙ୍ଗଳା ବସ୍ତି ପରିଦର୍ଶନ କରିଛନ୍ତି। ବସ୍ତି ବୁଲିବା ସହ ବିଲ୍ ଗେଟ୍ସ ଏଠାକାର ଲୋକଙ୍କ ଜୀବନଶୈଳୀ ବୁଲି ଦେଖିଛନ୍ତି । ଘରକୁ ଘର ଯାଇ ସେମାନଙ୍କୁ ଏଠାର କଣ ସବୁ ମୌଳିକ ସୁବିଧା ମିଳୁଛି ସେ ବିଷୟରେ ପଚାରି ବୁଝିଛନ୍ତି ।
ବିଲ୍ ଗେଟ୍ସ ମାଆ ମଙ୍ଗଳା ବସ୍ତି ଗସ୍ତ କରି ମୁକ୍ତା ଓ ଜାଗା ମିଶନରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ମଧ୍ୟ ବୁଲି ଦେଖିଛନ୍ତି। ଏହାସହ ଯୋଜନାରେ କିଭଳି ଲୋକଙ୍କୁ ଥଇଥାନ କରାଯାଇଛି ସେନେଇ ଅନୁଧ୍ୟାନ କରିଛନ୍ତି। ବିଲ୍ ଗେଟ୍ସଙ୍କ ଗସ୍ତ ସମୟରେ ବସ୍ତିରେ ଉପସ୍ଥିତ ଥିବା ନଗର ଉନ୍ନୟନ ପ୍ରମୁଖ ସଚିବ ଜି. ମାଥି ଭାଥାନନ କହିଛନ୍ତି ବିଲ ଗେଟ୍ସ ବିଜୁ ଆଦର୍ଶ କାଲୋନୀ ଯାଇ ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା କଲେ। ଜାଗା ମିଶନରେ କିପରି ଲୋକ ଜମି ଅଧିକାର ପାଇଲେ, ମୁକ୍ତା ଯୋଜନାରେ କାମ ପାଇଲେ ତାହା ବୁଝିବା ସହ ଆମେ ସବୁ ଡିଜିଟାଲ ବ୍ୟବସ୍ଥା କରିଛୁ, ସେ ସବୁ ଶୁଣି ଖୁସି ହେଲେ। ଦେଶର ଅନ୍ୟ ସ୍ଥାନରେ କାମ କରୁଥିବା ବିଲ ଗେଟ୍ସ ଫାଉଣ୍ଡେସନରେ ଏ ସବୁ ଲାଗୁ କରିବାକୁ ଚେଷ୍ଟା କରିବେ ବୋଲି ମଧ୍ୟ ବିଲ୍ ଗେଟ୍ସ ଏହି ଗସ୍ତ ସମୟରେ କହିଛନ୍ତି ବୋଲି ନଗର ଉନ୍ନୟନ ପ୍ରମୁଖ ସଚିବ କହିଛନ୍ତି।
ସେହିପରି ପ୍ରତି ଘରେ ଡ୍ରିଙ୍କ ଫ୍ରମ ଟ୍ୟାପରେ କେମିତି କାର୍ଯ୍ୟକାରୀ ହେଉଛି ଓ ମିଶନ ଶକ୍ତି ମହିଳାମାନେ ଏଥିରେ ସାମିଲ ହୋଇଛନ୍ତି, ସେ ନେଇ ବିଲ୍ ଗେଟ୍ସ ବୁଝିବା ସହ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ବୁଲି ଦେଖିବା ସହ ରୂପାନ୍ତର ଓ ସଫାସୁତୁରା ଦେଖି ଖୁସି ହୋଇଥିଲେ ବୋଲି କହିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ।
ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ମାଆ ମଙ୍ଗଳା ବସ୍ତି ବୁଲିବା ପରେ କୃଷି ଭବନ ପରିଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । କୃଷିର ଉନ୍ନତି ପାଇଁ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ୨୦୧୭ରେ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ଓଡ଼ିଶା ସରକାର । ଯାହାଦ୍ୱାରା କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା ।

Leave A Reply

Your email address will not be published.