Jai Odisha
News

ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି

ସମ୍ବଲପୁର ଜିଲ୍ଲା ହୀରାକୁଦ ଅଂଚଳରେ ଡାଇରିଆ ଦିନକୁ ଦିନ ବ୍ୟାପିବାରେ ଲାଗିଛି । ୩ ଦିନ ମଧ୍ୟରେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି। ଡାଇରିଆରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୦ ଜଣରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି । ଗୁରୁତର ରୋଗୀଙ୍କୁ ବୁର୍ଲା ଭିମ୍‌ସାରକୁ ସ୍ଥାନାନ୍ତର କରାଯାଇଛି। ତା ସହିତ ଅନେକଙ୍କୁ ହୀରାକୁଦ ଡାକ୍ତରଖାନା ରେ ଭର୍ତି କରାଯାଇଛି । ଶନିବାର ୧୦ରୁ ଅଧିକ ରୋଗୀ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ମାତ୍ର ୩ଜଣ ଚିକିତ୍ସାଧୀନ ରହିିଛନ୍ତି। ଝାଡ଼ାବାନ୍ତି ପାଇଁ ରୋଗୀଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ଦୂଷିତ ପାନୀୟ ଜଳକୁ ଦାୟୀ କରିଛନ୍ତି। ଘରକୁ ଘର ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ ହେଉଥିବା ପାଇପ୍‌ ରକ୍ଷଣାବେକ୍ଷଣ ଅଭାବରୁ କେତେକ ସ୍ଥାନରେ ଫାଟିଯାଇଛି। ବିଶେଷ କରି ହୀରାକୁଦ ସହରର କାଳୁପଡ଼ା, ଗୁରୁଦ୍ୱାରପଡ଼ା, ଗୌଡ଼ପଡ଼ା, ନୂଆମାର୍କେଟ୍‌ ଆଦି ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ଝାଡ଼ାବାନ୍ତିର ଆକ୍ରାନ୍ତ ହୋଇଛନ୍ତି। ସମ୍ବଲପୁର ଜିଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏଡିପିଏଚଓ ଡା. ଅଶୋକ ଦାସଙ୍କ ନେତୃତ୍ଵରେ ଏକ ଡାକ୍ତରୀ ଦଳ ହୀରାକୁଦକୁ ଯାଇ ସରଜମିନ ତଦାରଖ କରି ରିପୋର୍ଟ ପ୍ରଦାନ କରିଛନ୍ତି। ତେବେ ଦୂଷିତ ପାଇପ ପାଣି ଯୋଗୁଁ ଏହା ହେଉଥିବା ଡାକ୍ତର କହିଛନ୍ତି। ଯେଉଁଠାରୁ ଜଳଯୋଗାଣ ହେଉଛି ସେଠାରେ ସଠିକ ବିଶୋଧନ ନକରି ପାଣିକୁ ବ୍ୟବହାର କରୁଥିବାରୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କୁହାଯାଉଛି । ଅନ୍ୟପକ୍ଷରେ ଆଜି ହୀରାକୁଦ କୁ ଯାଇ ଜିଲ୍ଲା ବିଜେପି ଓ କଂଗ୍ରେସ ପ୍ରତିନିଧି ଦଳ ପରିସ୍ଥିତି କୁ ଅନୁଧ୍ୟାନ କରିବା ସହ ହୀରାକୁଦ ମେଡିକାଲରେ ଡାକ୍ତର ଙ୍କ ସହ ଆଲୋଚନା କରିଛନ୍ତି ।

 

 

 

Leave A Reply

Your email address will not be published.