Jai Odisha
News

ଓଡ଼ିଶା ଉପକୂଳରେ ମାଛ ଧରା ବନ୍ଦ : ବନ୍ଦ ରହିବ ସମସ୍ତ ମାଛଧରା ବନ୍ଦର

ଓଡ଼ିଶା ଉପକୂଳରେ ମାଛ ଧରା ବନ୍ଦ । ସମୁଦ୍ର ଭିତରୁୟକୁ ପ୍ରବେଶ କରିବେ ନାହିଁ ମତ୍ସ୍ୟଜୀବୀ । ସମସ୍ତ ବନ୍ଦର ପରିବେଶ ଏବେ ଖାଲି ଖାଲି । ୬୧ ଦିନ ପାଇଁ ଜାରି ହେଲା କଟକଣା । ପାରାଦୀପ ମାଛଧରା ବନ୍ଦର ସମେତ ରାଜ୍ୟର ସମସ୍ତ ଉପକୂଳ ଜିଲାରେ ସୋମବାରଠାରୁ ୨ମାସ ପର୍ଯ୍ୟନ୍ତ କୌଣସି ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ଧରି ପାରିବେ ନାହିଁ। ମତ୍ସ୍ୟ ନିର୍ଦ୍ଦେଶାଳୟ କଟକ ପକ୍ଷରୁ ଏହି ସର୍କୁଲାର ଜାରି କରାଯାଇଛି। ଏହି ନିୟମ ଲାଗୁ ହେବା ପରେ ରାଜ୍ୟର ସବୁ ମାଛଧରା ବନ୍ଦର ବନ୍ଦ ରହିବ। ଏହାଦ୍ବାରା ପ୍ରାୟ ୧୨ ଲକ୍ଷ ମତ୍ସ୍ୟଜୀବୀ ପ୍ରଭାବିତ ହେବେ। ତେବେ ସାଢ଼େ ୮ ମିଟର ଡଙ୍ଗାରେ କେବଳ ମାଛ ଧରାଯାଇପାରିବ।ଏହି ସମୟରେ ମାଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହେଉଥିବା ଯୋଗୁ ସବୁ ବର୍ଷ ଏହି ସମୟରେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ଉପରେ କଟକଣା ଲାଗୁ ହୋଇଥାଏ।
ସମୁଦ୍ରରେ ମାଛ ବଂଶ ବୃଦ୍ଧି ପାଇଁ ଏପରି କରାଯାଉଛି। ଏପ୍ରିଲ ୧୫ ରୁ ଜୁନ ୧୪ ପର‌୍ୟ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ମାଛ ବଂଶ ବୃଦ୍ଧି ପାଇଁ ଉପଯୁକ୍ତ ସମୟ ଥାଏ। ପ୍ରଜନନ, ଅଣ୍ଡାଦାନ ପାଇଁ ମା’ମାଛ କୂଳକୁ ଆସିଥାନ୍ତି। ଏହି ସମୟରେ ମାଛ ଧରିଲେ ମା’ଓ ଯାଅଁଳ ମାଛ କ୍ଷତିଗ୍ରସ୍ତ ହେବେ। ମାଛ ବଂଶ ବଢ଼ିଲେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଫାଇଦା ମିଳିବ । କଟକଣା ଜାରି ହେବା ପୂର୍ବରୁ ରବିବାର ସୁଦ୍ଧା ସମୁଦ୍ର ଭିତରେ ଥିବା ମାଛଧରା ବୋଟଗୁଡ଼ିକ ମାଛଧରା ବନ୍ଦର ପୋତାଶ୍ରୟକୁ ଫେରି ଆସିଛନ୍ତି।

Leave A Reply

Your email address will not be published.