Jai Odisha
News

ଶଙ୍ଖ ଛାଡ଼ି ପଦ୍ମ ଧରି ପାରନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ

ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । କେତେବେଳେ କଣ ହେଉଛି ତାହା ସମସ୍ତଙ୍କ କଳ୍ପନା ବାହାରେ । ନିର୍ବାଚନକୁ ନେଇ ପାଣିପାଗ ସରଗରମ ରହିଥିବା ବେଳେ , ଦଳ ଡ଼ିଆଁ ପର୍ବ ମଧ୍ୟ ଜାରି ରହିଛି । ସ୍ୱାର୍ଥ ପୂରଣ ନହେବା କ୍ଷଣି ଦଳର ପୁରୁଖା ନେତାମାନେ ବି ଦଳ ଛାଡ଼ି ଅନ୍ୟ ଦଳରେ ମିଶୁଛନ୍ତି । ଯେଉଁ ମୁହଁରେ ଗାଳି କରୁଥିଲେ ସେହି ମୁହଁରେ ତାଳି ମାରିବାକୁ ବି ପଛାଉ ନାହାନ୍ତି । ତେବେ ଓଡ଼ିଶା ରାଜନୀତିରେ ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିଛି । ଏହି ପରିପ୍ରେଖୀରେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ସୂଚନା ଦେଇଛନ୍ତି ଯେ ଖୁବଶୀଘ୍ର ଅନେକ ବଡ଼ ନେତାମାନେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବେ।
ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଆହୁରି ମଧ୍ୟ କହିଛନ୍ତ ଯେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟ ବିଜେପିର ବଳକା ପ୍ରାର୍ଥୀ ତାଲିକା ଘୋଷଣା ହେବ ଏବଂ ଏଥର ଡବଲ୍ ଇଞ୍ଜିନ୍ ସରକାର ଗଠନ ହେବ ।
ଅନ୍ୟପଟେ ତୋମରଙ୍କ କଥା ମଧ୍ୟ ସତ ହେବା ଭଳି ମନେ ହେଉଛି । ପୂର୍ବରୁ ଏହିଭଳି ଅନେକଘଟଣା ନଜର ଥିବା ବେଳେ ବର୍ତ୍ତମାନ ଶୁଣିବାକେୁ ମିଳୁଛି ଯେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜୁ ଜନତା ଦଳ ଛାଡ଼ିପାରନ୍ତି। କିଛିଦିନ ତଳେ ସେ ଚିଲିକା ଆସନରୁ ଲଢ଼ିବା ଚର୍ଚ୍ଚା ହେଉଥିଲେ ମଧ୍ୟ ଟିକେଟ ଘୋଷଣା ନ ହେବା ଏବଂ କୌଣସି ସ୍ପଷ୍ଟ ସୂଚନା ନ ମିଳିବାରୁ ପାଟ୍ଟଶାଣୀ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି।
ଖବର ଅନୁଯାୟୀ ପାଟ୍ଟଶାଣୀ ଗୁରୁବାର ନବୀନ ନିବାସ ଯାଇଥିଲେ। ସେଠାରୁ ଫେରିବା ପରେ ସେ କିଛି ବଡ଼ ନିଷ୍ପତ୍ତି ନେଇ ପାରନ୍ତି ବୋଲି କୁହାଯାଉଛି। ଏପରିକି ଗୁରୁବାର ରାତିରେ ସେ ଦିଲ୍ଲୀ ଯିବା ନେଇ ଚର୍ଚ୍ଚା ହେଉଥିଲା । ଭୁବନେଶ୍ୱରରୁ ଲଗାତାର ୫ ଥର ସାଂସଦ ହୋଇଥିବା ପାଟ୍ଟଶାଣୀଙ୍କୁ ୨୦୧୯ରେ ବିଜେଡି ଟିକଟ ମିଳି ନଥିଲା। ପରେ ସେ ରାଜ୍ୟସଭା ଯିବାକୁ ଆଶାୟୀ ଥିଲେ । ମାତ୍ର ତାଙ୍କ ଆଶା ପୂରଣ ହୋଇନଥିଲା । ତେବେ ଚଳିତ ଥର ବିଧାନସଭା ନିର୍ବାଚନ ପାଇଁ ଚିଲିକାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ କିଛି ଦିନ ପରେ ଏ ଚର୍ଚ୍ଚା ଥମି ଯାଇଥିଲା। ନିକଟରେ ପାଟ୍ଟଶାଣୀଙ୍କ ଜ୍ୱାଇଁ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ନିକଟରେ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ଉତ୍ତର ଭୁବନେଶ୍ୱରରୁ ପ୍ରିୟଦର୍ଶୀଙ୍କୁ ଭାଜପା ପ୍ରାର୍ଥୀ କରିଛି। ତେଣୁ ପାଟ୍ଟଶାଣୀ ମଧ୍ୟ ଭାଜପାକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମାତ୍ର ଏନେଇ କୌଣସି କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Leave A Reply

Your email address will not be published.