Jai Odisha
News

ସକାଳୁ ଗୁଳୁଗୁଳିରେ ସିଝିଲାଣି ସାରା ଓଡ଼ିଶା : ସକାଳେ ୮ଟା ୩୦ ସୁଦ୍ଧା ତାପମାତ୍ରା ୩୪ ଡିଗ୍ରୀ ପାର୍‌

ରାଜ୍ୟକୁ ପୁଣି ଫେରିଛି ତାତି। ଗତକାଲି ତାପମାତ୍ରା ରେକର୍ଡ଼ ଭାଙ୍ଗିଛି। ୧୪ ତାରିଖ ଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପୁଣି ବଢିଛି। ସୋମବାର ଯେଉଁଠି ରାଜ୍ୟର ୧୮ ସହରର ତାପମାତ୍ରା ୪୦ ଡିଗ୍ରୀ ଅବା ତା ଠାରୁ ଅଧିକ ରେକର୍ଡ଼ ହୋଇଥିଲା। ସେଠି ମଙ୍ଗଳବାର ୨୯ ସହରର ତାତି ୪୦ ଡିଗ୍ରୀ ପାର୍ କରିଛି। ସେପଟେ ଆଜି ସକାଳୁ ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସିଝିଲାଣି ସାରା ରାଜ୍ୟ । ସକାଳ ସାଢ଼େ ୮ରେ ୩୪ ଡିଗ୍ରୀ ଟପିଲାଣି ଅନେକ ସ୍ଥାନର ତାପମାତ୍ରା । ଗତକାଲି ସକାଳେ ୮ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପାମାତ୍ରା ୩୨.୬ ରେକର୍ଡ କରାଯାଇଥିବା ବେଳେ ଆଜି ସେହି ସମୟରେ ରାଜଧାନୀର ତାପମାତ୍ରା ୩୩.୪ ଡିଗ୍ରୀ ଛୁଇଁଛି । ସେହିପରି ଗତକାଲି ରାଜଧାନୀର ଆଦ୍ରତା ୮ଟା ୩୦ ସୁଦ୍ଧା ୬୫ ପ୍ରତିଶତ ରେକର୍ଡ କରାଯାଇଥିବା ବେଳେ ଆଜି ତାହା ଅଛି ୭୩ ପ୍ରତିଶତ ।
ସକାଳ ୮ଟା ୩୦ ସୁଦ୍ଧା ତାଳଚେର ୩୪.୪ ଡିଗ୍ରୀ, ବାଲେଶ୍ୱର ୩୪, ବାରିପଦା ୩୩.୬ ଡିଗ୍ରୀ ରହିଛି । ସେହିପରି ଚାନ୍ଦବାଲି ୩୩.୨, ଜଗତସିଂହପୁର ୩୩.୨, ହୀରାକୁଦ ୩୨.୮ ଡିଗ୍ରୀ ତାପମାତ୍ରା ରହିଛି । ଜାରି ରହିବ ଗ୍ରୀଷ୍ମପ୍ରବାହ । ପ୍ରବଳ ଖରାରେ ଆଉଟୁ ପାଉଟୁ ହେବେ ରାଜ୍ୟବାସୀ । ପାଣିପାଗ ବିଭାଗ ପକ୍ଷରୁ ଆଜି ୧୪ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି ହୋଇଛି ।
ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ୧୮ରୁ ୨୦ ତାରିଖ ମଧ୍ୟରେ ଗ୍ରୀଷ୍ମଲହରୀ ଶିଖର ଛୁଇଁପାରେ । ଏମିତିକି ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି । ଏହି ସମୟରେ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଆସନ୍ତା ୨୦ ତାରିଖ ଯାଏଁ କିଛି ସ୍ଥାନରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ମଧ୍ୟ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଏଥର ମୌସୁମୀରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି । ପ୍ରେସମିଟରେ ଓଗଊ ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଏନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.