Jai Odisha
News

ଟୋପାଏ ଜଳ ପାଇଁ ଡହଳବିକଳ ଗ୍ରାମବାସୀ : ଡ଼ହ ଡ଼ହ ଖରାରେ ଚୁଆ ପାଣି ଭରସା

ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଅନେକ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ କିନ୍ତୁ ବିଶୁଦ୍ଧ ପାନୀୟ ଯୋଗାଇ ଦେବାକୁ ବିଫଳ ହୋଇଛନ୍ତି। ଗୋଟିଏ ପଟେ ଡ଼ହ ଡ଼ହ ଖରା ଅନ୍ୟପଟେ ଶୋଷ । ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହୁଥିବା ବେଳେ ପାନୀୟ ଜଳ ଅଭାବ ଲୋକଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି। ପ୍ରବଳ ଖରାରେ ପାଣି ପାଇଁ ଚୁଆ ଉପରେ ନିର୍ଭର କରିବାକୁ ପଡୁଛି। ପାନୀୟ ଜଳ ନାଁରେ ମିଛ ପ୍ରତିଶ୍ରୁତି ଦିଆ ଯାଉଥିବା ଅଭିଯୋଗ ବି ହେଉଛି । ଟୋପାଏ ଜଳ ପାଇଁ ଡହଳବିକଳ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଆସିଲେ ନେତାମାନେ ଭୋଟ ପାଇଁ ବିକଳ ହେଉଛନ୍ତି କିନ୍ତୁ ଭୋଟ ପାଇବା ପରେ ଆମକୁ ଭୁଲି ଯାଉଛନ୍ତି । ଆମେ ବିଭିନ୍ନ ଅସୁବିଧାରେ ସମ୍ମୁଖୀ ହେଉଥିବା ବେଳେ ଖରା ଦିନେ ପାଣି ଟୋପେ ପାଉ ନାହୁଁ । ବଞ୍ଚିବା ପାଇଁ ଚୁଆ ପାଣି ଉପରେ ନିର୍ଭର କରିବାକୁ ପଡ଼ୁଛି ବୋଲି କହିଛନ୍ତି କେନ୍ଦୁଝର ଜିଲ୍ଲାର ବିଭିନ୍ନ ଗାଁର ବାସିନ୍ଦା । ନଳ ଯୋଗେ ନ ହେଲେ ନାହିଁ ପୁରୁଣା ବ୍ୟବସ୍ଥାକୁ ବି ସୁଧାରୁ ନାହାନ୍ତି। ଫଳରେ ଲୋକମାନେ ଚୁଆରୁ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ୨ ବର୍ଷ ତଳୁ କାମ ଆରମ୍ଭ ହେଲା। ଠିକାଦାର ଗାଁରେ ଘରେ ଘରେ ପାଇପ ଯୋଗେ ପାଣି ଷ୍ଟାଣ୍ଡ ଦେବା ପରିବର୍ତ୍ତେ ରାସ୍ତା କଡରେ ମାଳମାଳ ଷ୍ଟାଣ୍ଡ ଠିଆ କରି ପାଣି ସଂଯୋଗ ନ କରି ପଇସା ନେଇ ପଳାଇଲେ । ଗାଁରେ ଖାଲି ଷ୍ଟାଣ୍ଡଅଛି ହେଲେ ପାଣିର ଦେଖା ନାହିଁ। ଏପରି ସ୍ଥିତି କେନ୍ଦୁଝରର ସଦର ବ୍ଳକର ମହାଦେଇ ଯୋଡା , ଟିକରପଡ଼ା , ସରଲାପେଣ୍ଟ, ମଦରଙ୍ଗା ଯୋଡ଼ି ଗାଁରେ। ଏଥିରୁ ସରଲାପେଣ୍ଟ ଗାଁରେ ତ ଗ୍ରାମବାସୀ ପାଣି ନାହିଁ ତ ଭୋଟ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । କାରଣ ଏମାନେ କାମ ଦାମ ଛାଡ଼ି ଚୁଆ ରୁ ପାଣି ଆଣିବାରେ ସମୟ ବିତାଉଛନ୍ତି । ସେହିପରି ବାଂଶପାଳ ବ୍ଳକର ଚମ୍ପେଇ , ଗୌଡ ଚମ୍ପେଇ , ବାୟାକୁମୁଟିଆ, ଅଅଁରା , ରୁଗୁଡି ସାହି। ସବୁଠାରେ ସମାନ ସ୍ଥିତି। ସେହିପରି ପାଟଣା ବ୍ଳକ ମଲ୍ଲିପଶି ଗାଁ କଥା ନ କରିବା ଭଲ। ଏଠାରେ ତ ପାଣି ଟିକେ ପାଇଁ ଖରାକୁ ଭୟ ନକରି ଜଣଙ୍କ ପରେ ଆଉ ଜଣେ ଖରାରେ ବସି ବେଲା ସାହାର‌୍ୟ୍ୟରେ ପାଣି ଗୋଟାଇବାକୁ ବାଧ୍ୟ ହେଉଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ସରକାର ଏ ଦିଗରେ ଦୃଷ୍ଟି ଦେଉଛନ୍ତି ।

Leave A Reply

Your email address will not be published.