Jai Odisha
News

କଣ ରହିଛି ରତ୍ନ ଭଣ୍ଡାର ରେ

କିଛି ବର୍ଷ ହେଲାଣି ଚର୍ଚ୍ଚାରେ ଅଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର | ହେଲେ କଣ ରହିଛି ତା ଭିତରେ କେହି ଜାଣିନାହାନ୍ତି | ରକ୍ଷଣା ବେକ୍ଷଣା ଅଭାବରୁ କେତେକ ନଷ୍ଟ ହୋଇ ଯାଇଛି ତ କେତେକ ଚୋରି ହୋଇଥିବାର ଅଭିଯୋଗ ହୋଇଛି | ଏ ସବୁ ଭିତରେ ମନରେ ଗୋଟେ ପ୍ରଶ୍ନ ଉଠେ କଣ ଅଛି ରତ୍ନ ଭଣ୍ଡାର ରେ ?
ଜଗତର ନାଥ ଜଗନାଥ ଅଳଙ୍କାର ପ୍ରିୟ | ତାଙ୍କର ଯେତେ ଗୋଟି ବେଶ ହୁଏ ସେ ସବୁ ବେଶରେ ରତ୍ନଖଞ୍ଜିତ ଅଳଙ୍କାର ଲାଗି କରାଯାଏ। ହୀରା ,ମୋତି ,ମାଣିକ ପରୀ ଅଳଙ୍କାର ମହାପ୍ରଭୁ ପିନ୍ଧିଥାନ୍ତି | କେବଳ ସେତିକି ନୁହେଁ ରତ୍ନ ଭଣ୍ଡାରରେ ମଧ୍ୟ ଯେତିକି ଅଛି ତାହା ମୂଲ୍ୟାଙ୍କନ କରିବା ଅସମ୍ଭବ | ପୂର୍ବରୁ ଓଡିଶାକୁ ଶାସନ କରିଥିବା ରାଜାମାନେ ଶ୍ରୀମନ୍ଦିରର ରତ୍ନଭଣ୍ଡାରକୁ ବିପୁଳ ଧନରତ୍ନ ଓ ଅଳଙ୍କାର ଅର୍ପଣ କରିଥିଲେ। ସେ ମଧ୍ୟରେ ରହିଛି ବିଭିନ୍ନ ପ୍ରକାରର ମୂଲ୍ୟବାନ୍‌ ହୀରା, ନୀଳା, ମୋତି, ମାଣିକ୍ୟ, ପୋଖରାଜ ଓ ପ୍ରବାଳ ଭଳି ଦୁର୍ଲଭ ରତ୍ନ। ତଥ୍ୟ କହେ, ରତ୍ନଭଣ୍ଡାରରେ ନବରତ୍ନ ରହିଛି। ପୁରୀ ଜିଲ୍ଲା ଗେଜେଟିୟରରେ ଉଲ୍ଲେଖ ରହିଛି ଯେ, ହିନ୍ଦୁ ରାଜା ମହାରାଜା ଓ ଭକ୍ତମାନେ ଅର୍ପଣ କରିଥିବା ଧନରତ୍ନ ଓ ଅଳଙ୍କାରରେ ରତ୍ନ ଭଣ୍ଡାର ସମୃଦ୍ଧ ହୋଇଥିଲା |୧୪ଶ ଶତାବ୍ଦୀ ଶେଷ ଭାଗ ଆଡ଼କୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ବିପୁଳ ସ୍ବର୍ଣ୍ଣ ଅଳଙ୍କାରରେ ପରିପୂର୍ଣ୍ଣ ହୋଇ ରହିଥିଲା। ପ୍ରସିଦ୍ଧ ଗଙ୍ଗବଂଶୀ ରାଜା ଅନଙ୍ଗଭୀମ ଦେବ ବିଭିନ୍ନ ରାଜ୍ୟ ଜୟ କରି ନିଜ ରାଜ୍ୟ କୋଷାଗାରକୁ ୪୭,୮୮,୦୦୦ ମାଢ଼ ସୁବର୍ଣ୍ଣ ପ୍ରଦାନ କରିଥିଲେ ବୋଲି ମାଦଳାପାଞ୍ଜିରେ ଉଲ୍ଲେଖ ଅଛି । ୧୪୬୬ରେ ଦାକ୍ଷିଣାତ୍ୟର ଅନେକ ରାଜ୍ୟ ବିଜୟ କରି ଗଜପତି ରାଜା କପିଳେନ୍ଦ୍ର ଦେବ ୧୬ଟି ହାତୀ ପିଠିରେ ଲଦି ଆଣିଥିବା ସମସ୍ତ ଧନରତ୍ନ ଶ୍ରୀମନ୍ଦିର ପ୍ରତି ଉତ୍ସର୍ଗ କରିଥିଲେ। 1805 ରେ ଜିଲ୍ଲାପାଳ ଚାର୍ଲସ୍‌ ଗ୍ରୋମ୍‌ ରତ୍ନଭଣ୍ଡାରରେ ଥିବା ସମସ୍ତ ସମ୍ପତି କୁ ତାଲିକା କରି ସିନ୍ଦୁକରେ ରଖିଦେଇଥିଲେ | ତାଲିକା ଅନୁସାରେ
୭୪ ପ୍ରକାର ଅଳଙ୍କାର ସହିତ ବିଭିନ୍ନ ପ୍ରକାରର ପାଟ, ଶାଢ଼ି, ଧୋତି, କନା, ଲୁଗା ଓ ପୋଷାକ ପ୍ରଭୃତି ମୋଟ ୧୩୩୩ଟି ଦ୍ରବ୍ୟ ଥିଲା | ଏଥିସହ ରତ୍ନ ଭଣ୍ଡାରରେ ୧୨୯୭ଟି ରୌପ୍ୟମୁଦ୍ରା , ୧୨୮ଟି ସ୍ବର୍ଣ୍ଣମୁଦ୍ରା, , ୧୦୬ଟି ତାମ୍ରମୁଦ୍ରା, ୨୪ଟି ପ୍ରାଚୀନ ସ୍ବର୍ଣ୍ଣମୁଦ୍ରା ଥିବା ଦର୍ଶାଯାଇଥିଲା। ରତ୍ନଭଣ୍ଡାରରେ ଥିବା ଅଳଙ୍କାରଗୁଡ଼ିକ ମଧ୍ୟରୁ କେତେକ ହେଉଛି ମୟୂରଚନ୍ଦ୍ରିକା, ଚନ୍ଦ୍ରସୂର୍ଯ୍ୟ, ମୁକୁଟ, କିଆପତର, କୁଣ୍ଡଳ, ଅଳକା, ରାହୁରେଖା ଏମିତି ଅନେକ କିଛି |

Leave A Reply

Your email address will not be published.